୬ଷ୍ଠ ଓଡିଶା ଟ୍ରାଭେଲ ବଜାରରେ ୪୫୦୦ରୁ ଅଧିକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ନୂତନ ସହଭାଗିତା ସ୍ଥାପିତ ହୋଇଛି l
ଏକ ସ୍ଥାୟୀ, ସମାବେଶୀ ଓ ଭବିଷ୍ୟତ-ପ୍ରସ୍ତୁତ ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ କରିବା ପାଇଁ ଆମର ଲକ୍ଷ୍ୟ ସ୍ପଷ୍ଟ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର ସଫଳତାର ସହ ସମାପ୍ତ ହୋଇଛି, ଯାହା ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଆୟୋଜିତ ଏହି ୪ ଦିବସୀୟ କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ହିତାଧିକାରୀମାନଙ୍କୁ ଏକାଠି କରିବା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସାର୍ଥକ ଆଲୋଚନା, ବ୍ୟବସାୟିକ ସହଭାଗିତା ଏବଂ ନୀତିଗତ ଅଗ୍ରଗତିକୁ ସୁଗମ କରିଛି । ୬ଷ୍ଠ ଓଡିଶା ଟ୍ରାଭେଲ ବାଜାରର ଉଦଯାପନୀ ଅବସରରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି, “ଲୋକ ଓ ସମୁଦାୟର ଯୋଗଦାନ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଆଗକୁ ବଢାଇବ ।
ଆମେ ସମୁଦାୟଗୁଡିକୁ ସଶକ୍ତ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ ଏବଂ ଏକ ଜନତା-ପ୍ରଥମ ଆଭିମୁଖ୍ୟ ନିଶ୍ଚିତ କରୁଛୁ । ଓଡିଶା ହୋମଷ୍ଟେ ସ୍କିମର ଶୁଭାରମ୍ଭ କରି ଆମେ ସମୁଦାୟ-ଭିତିକ ପର୍ଯ୍ୟଟନର ବିକାଶ ପାଇଁ ଲକ୍ଷ୍ୟ ରଖିଛୁ ଯାହା ପରିଦର୍ଶକମାନଙ୍କୁ ପ୍ରକୃତ ଓଡିଆ ଆତିଥ୍ୟର ଅନୁଭୂତି ପାଇବା ପାଇଁ ଅନୁମତି ଦେବ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି କରିବ । ସମାନ ରୂପେ ଆଡ୍ଭେଂଚର ଟୁରିଜିମ ଗାଇଡ୍ଲାଇନ୍ସର ଉନ୍ମୋଚନ କରି ଆମେ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ସୁଯୋଗଗୁଡିକୁ ଉନ୍ମୋଚନ କରିବୁ ଏବଂ ଏକ ପ୍ରମୁଖ ଦୁଃସାହସିକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାକୁ ଅବସ୍ଥାପିତ କରିବୁ ।”
ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ମହିଳାମାନଙ୍କୁ ପର୍ଯ୍ୟଟନ କ୍ଷେତ୍ରର ଆଗଧାଡିକୁ ଆଣିବା ପାଇଁ ପ୍ରତିବଦ୍ଧ ରହିଛୁ, ଯାହା ସମାବେଶୀ ବିକାଶ ଓ ଉନ୍ନତ ଆର୍ଥିକ ଯୋଗଦାନ ସୁନିଶ୍ଚିତ କରିବ । ବିଗତ ବର୍ଷଗୁଡିକରେ ଓଡିଶା ଟ୍ରାଭେଲ ବଜାର ନିବେଶକ, ବ୍ୟବସାୟିକ ସହଭାଗିତା ଓ ନୀତି ଉଦ୍ଭାବନ ପାଇଁ ଏକ ଉତ୍ପ୍ରେରକ ଭାବେ ବିକଶିତ ହୋଇଛି, ଏହା ଓଡିଶାକୁ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ପର୍ଯ୍ୟଟନ ଗନ୍ତବ୍ୟବସ୍ଥଳୀ ଭାବେ ଆଗକୁ ବଢାଇଛି । ଏକ ସ୍ଥାୟୀ, ସମାବେଶୀ ଓ ଭବିଷ୍ୟତ ପ୍ରସ୍ତୁତ ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ କରିବା ପାଇଁ ଆମର ଲକ୍ଷ୍ୟ ସ୍ପଷ୍ଟ ରହିଛି, ଯାହା ଓଡିଶାକୁ ଉଭୟ ଭ୍ରମଣକାରୀ ଓ ନିବେଶକଙ୍କ ପାଇଁ ଏକ ପସନ୍ଦର ବିକଳ୍ପରେ ପରିଣତ କରିବ ।”