ପଦ୍ମଶ୍ରୀ ମାୟାଧର ରାଉତଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ସଭା

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀର ଅନ୍ୟତମ ବରପୁତ୍ର, ଓଡ଼ିଶୀ ନୃତ୍ୟ ବିଶାରଦ, ପଦ୍ମଶ୍ରୀ ବିଜେତା ତଥା ଚର୍ଚ୍ଚିକା ସମ୍ମାନ ପାଇଥିବା ସ୍ୱର୍ଗତ ମାୟାଧର ରାଉତଙ୍କ ପରଲୋକରେ ଏକ ଶ୍ରଦ୍ଧାଞ୍ଜଳି ସଭା କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କବି କୌଶିକ ନାୟକ ସଭାପତିତ୍ୱ କରି ସ୍ୱର୍ଗତ ରାଉତ ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପହଁରା ଗ୍ରାମରେ ଜନ୍ମଗ୍ରହଣ କରି ସାରା ବିଶ୍ୱରେ ଓଡ଼ିଶୀ ନୃତ୍ୟକୁ ପ୍ରସାର ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବାଙ୍କୀ ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ସୁନୀଲ୍ ମିଶ୍ର, ବିଜୟ କୁମାରା ଦିକ୍ଷୀତ, ବେଣୁଧର କର, କବିଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ରାଉତଙ୍କ ଓଡ଼ିଶୀ ନୃତ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବାଙ୍କୀ ଟାଉନକ୍ଲବ ଠାରେ ସ୍ୱର୍ଗତ ରାଉତ ବାଙ୍କୀର ଅନ୍ୟତମ ନୃତ୍ୟଗୁରୁ ସ୍ୱର୍ଗତ ଗୋପୀକୃଷ୍ଣ ବେହେରାଙ୍କ ସହିତ ମିଶି ଓଡ଼ିଶୀ ନୃତ୍ୟ ପ୍ରଥମେ ପରିବେଷଣ କରିଥିଲେ ।

ପରେ ପୁରୀ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚରେ ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରି ଲୋକଲୋଚନକୁ ଆସିଥିଲେ । ସ୍ୱର୍ଗତ ରାଉତ ନୂଆଦିଲ୍ଲୀ ଠାରେ ଏକ ନୃତ୍ୟ ବିଦ୍ୟାଳୟ ସ୍ଥାପନ କରି ସେଠାରେ ଦେଶବିଦେଶର ବହୁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିଲେ ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ତାଙ୍କ ପରଲୋକରେ ଆଜି ୨ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ପ୍ରଦାନ କରାଯାଇଥିଲା ।

Exit mobile version