ସ୍ଵାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ଓଲଟପୁର ପକ୍ଷରୁ ୫୦ ତମ ପ୍ରତିଷ୍ଠା ଦିବସ ପାଳନ

୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଣ୍ଟାପଡ଼ା  :- ସ୍ଵାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ଓଲଟପୁର ପକ୍ଷରୁ ୫୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦିବ୍ୟାଙ୍ଗ ମାନଙ୍କର ଦିବ୍ୟ କ୍ଷେତ୍ର ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (SVNIRTAR) ସମଗ୍ର ଜନମାନସ ରେ ଓଲଟପୁର ହସ୍ପିଟାଲ ନାମରେ ବହୁଳ ଭାବରେ ପରିଚିତ। ୧୯୭୫ ମସିହାରେ ଗତିବାଧିତ ଦିବ୍ୟାଙ୍ଗ ମାନଙ୍କ ଚିକିତ୍ସା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ଏହି ଅନୁଷ୍ଠାନଟି ଆଜିର ସମୟରେ ସୀମିତ ସେବାରେ ବାନ୍ଧି ନହୋଇ ଅତି ବ୍ୟାପକ ଭାବେ ପୂର୍ଣ୍ଣ ବିକଶିତ ପ୍ରୋସ୍ଥେଟିକ ଓ ଅର୍ଥୋଟିକ ବିଭାଗ,

ଫିଜିଓଥେରାପି ବିଭାଗ, ଅକ୍ୟୁପେସନାଲ ଥେରାପି ବିଭାଗ, ସ୍ପିଚ ଲାଙ୍ଗୁଏଜ ପାଥୋଲୋଜି ବିଭାଗ, ଫିଜିକାଲ ମେଡିସିନ ଆଣ୍ଡ ରିହାବିଲିଟେସନ ବିଭାଗ,ଭୋକେସନାଲ୍ ଏବଂ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଙ୍ଗ ବିଭାଗ ଦ୍ବାରା ସମସ୍ତ ୨୧ ପ୍ରକାର ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ପୁର୍ନବାସ ସେବା ପ୍ରଦାନ କରିବା ସହ ବିଶ୍ଵବିଦ୍ୟାଳୟ ସ୍ତର ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଦେଶର କୋଣ ଅନୁକୋଣ ରୁ ନିରନ୍ତର ଶିକ୍ଷା ଗ୍ରହଣ କରୁଛନ୍ତି ତଥା ବିଭିନ୍ନ ବିଭାଗରେ ଅନୁସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ପ୍ରତି ବର୍ତ୍ତମାନ ର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଙ୍କ ପ୍ରଚେଷ୍ଟା ଓ କର୍ମଚାରୀ ମାନଙ୍କର କଠିନ ପରିଶ୍ରମ ଫଳରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ମୋ ବସ୍, ଜନ ଔଷଧି, ୨୦୦ ଶର୍ଯ୍ୟାର ବ୍ୟବସ୍ଥା, ରାସ୍ତା ର ସିମେଣ୍ଟିକରଣ ଓ ପ୍ରଶସ୍ତିକରଣ, ଚିଲଡ୍ରେନ ପାର୍କର ବ୍ୟବସ୍ଥା, ପାରାଲିସିସ ରୋଗୀ ମାନଙ୍କର ହସ୍ତ ପାଦ ନିମିତ୍ତ ରୋବଟ ଚିକିତ୍ସା ବ୍ୟବସ୍ଥା, ଅତ୍ୟାଧୁନିକ ସିଲିକନ୍ ଲାବ୍, ଅତ୍ୟାଧୁନିକ ମଡିଫିକେସନ ଲାବ୍, ପୋଡିଆଟ୍ରି ଲାବ୍, ୩ଡି ପ୍ରୋସ୍ଥେଟିକ ପ୍ରିଣ୍ଟ ଲାଵ୍ ସ୍ଥାପନା ହେବା ସହିତ ଟେଷ୍ଟିଂ ଲାବ୍, ଲାଇବ୍ରେରୀ ର ନବିକରଣ ଇତ୍ୟାଦି ଅନେକ କାର୍ଯ୍ୟ ସମ୍ପାଦାନ ହୋଇ ପାରିଛି।

ଏତଦ୍ ବ୍ୟତୀତ ବିଶ୍ବସ୍ତରୀୟ ଉଚ୍ଚ ମାନ ସମ୍ପର୍ଣ୍ଣ ଶିକ୍ଷା, ଭେଷଜୀୟ ସେବା ଓ ଅନୂସନ୍ଧାନ କୁ ଆହୁରି ବ୍ୟାପକ ଓ ଫଳପ୍ରଦ କରିବା ନିମନ୍ତେ ସଂସ୍ଥାନ ଅନ୍ୟାନ୍ୟ ଲବ୍ଧ ପ୍ରତିଷ୍ଠା ସଂସ୍ଥାନ ଯଥା ICMR, AIIMS,CTTC, OUTR ଇତ୍ୟାଦି ସହିତ ଅନୁବନ୍ଧିତ ହୋଇଛି | ଆଜି ସଂସ୍ଥାନ ତାର ୫୦ତମ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ଲାସରେ ପାଳନ କରୁଅଛି | ଆଜିର କାର୍ଯ୍ୟକ୍ରମଟିକୁ ଓଡିଶା ସରକାରଙ୍କ ମୂଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ମନୋଜ ଆହୁଜା ମହୋଦୟ ମୂଖ୍ୟ ଅତିଥି ଭାବେ ଏବଂ ରାଜ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଦୀପକ ରାଉତରାୟ ସମ୍ମାନୀୟ ଅତିଥି ଭାବେ ସଂସ୍ଥାନର ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ମାନଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଆହୁଜା ସଂସ୍ଥାନର ୫୦ ତମ ପ୍ରତିଷ୍ଠା ଦିବସ ଅବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଦିବ୍ୟାଙ୍ଗ ମାନଙ୍କ ସେବା କ୍ଷେତ୍ରରେ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ | ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ରାଉତରାୟ ସଂସ୍ଥାନର ଗୌରବମୟ ଇତିହାସକୁ ଉପସ୍ଥାପନା କରିବା ସହ ଏହାର ମର୍ଯ୍ୟଦାକୁ ସର୍ବଦା ଅକ୍ଷୁର୍ଣ୍ନ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ | ନିର୍ଦ୍ଦେଶକ ଡାକ୍ତର ମହାନ୍ତି ଅନୁଷ୍ଠାନର ବାର୍ଷିକ ବିବରଣୀକୁ ଉପସ୍ଥାପନା କରିବା ସହ ବୈଷୟିକ ଉପନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ସଂସ୍ଥାନର ମଙ୍ଗଳ କାମନା କରିଥିଲେ ଏବଂ ଏହାକୁ କିପରି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରିହେବ ସେ ଉପରେ ଆଲୋକପାତ କରିଥିଲେ,

ଶେଷରେ ପ୍ରଶାସନିକ ଉପନିର୍ଦ୍ଦେଶକ ଇଂ ସତ୍ୟଜିତ୍ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଆଜିର କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମଚାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଶ୍ରୀ ସଞ୍ଜିବ ସେଠୀ, ଡାକ୍ତର ନରେନ୍ଦ୍ର କୁମାର ବେହେରା, ଡାକ୍ତର ମୋନାଲିସା ପଟ୍ଟନାୟକ,ଡାକ୍ତର ପ୍ରଞା ସିଂ, ଶ୍ରୀ ରଶ୍ମିରଞ୍ଜନ ସ୍ବାଇଁ, ଶ୍ରୀମତି ରଶ୍ମିତା ଦାସ୍ ଇତ୍ୟାଦି ପରିଚାଳନା କରିଥିଲେ l

Exit mobile version