ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ ଘଟଣା ବିଜେପିର ୧୧ ଜଣିଆ ପ୍ରତିନିଧି ଦଳର କୋଳିଦାସପୁର ଗ୍ରସ୍ତ

ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ହିଞ୍ଜିଳିକାଟୁ :ହିଞ୍ଜିଳି ଥାନା କୋଳିଦାସ ପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ବାଲି ମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା । ଘଟଣା ପରେ ବାଲି ମାଫିଆ ମାନେ ଭୟରେ ଘଟଣା ସ୍ଥଳରୁ ଫେରାର ହେବା ପରେ କିଛି ଦୁବୃର୍ତ ନଦୀ ନିକଟରେ ଥିବା ୨ ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର, ୩ଟି ଟ୍ରକକୁ ନିଆଁ ଲଗାଇ ଦେବା ସହ ଏକ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ । ଘଟଣା ନେଇ ରାମକୃଷ୍ଣ ବରଡ଼ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ-୨୮୯/୨୦ରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ଗ୍ରାମର ୫ଜଣଙ୍କୁ ଥାନାରେ ଅଟକ ରଖିଥିଲା । ରବିବାର ସକାଳେ ସଂପୃକ୍ତ ଗ୍ରାମର ଶତାଧିକ ଲୋକେ ଥାନାରେ ଅଟକ ବ୍ୟକ୍ତିଙ୍କୁ ମୁକ୍ତ କରିବା ଓ ବାଲି ମାଫିଆଙ୍କୁ ଗିରଫ କରିବା ଦାବି ନେଇ ହିଞ୍ଜିଳି ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ବିକ୍ଷେଭାକାରୀଙ୍କୁ ଘଉଡ଼ାଇବା ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ପୁଲିସର ଲାଠି ଚାର୍ଜରେ ୧୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଆହତ ହୋଇଥିଲେ । ପରେ ଗ୍ରାମର ଭଦ୍ରବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ସହମତିରେ ଆଲୋଚନା କରାଯାଇ ଥାନାରେ ଅଟକ ୫ ଜଣଙ୍କୁ ୪୧ ସିଆରପିସିରେ ମୁକ୍ତ କରାଯାଇଥିଲା ।

ଘଟଣାକୁ ନେଇ ପରବର୍ତି ସମୟରେ ରାଜନୈତିକ ବିବାଦ ଉପୁଜିବାରେ ଲାଗିଛି । ବୁଧବାର ପୂର୍ବାହ୍ନରେ ଭାରତୀୟ ଜନା ପାର୍ଟିର ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଉପସଭାପତି ତଥା ଦଳର ମୁଖପାତ୍ର ଭୃଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ଦଳ କୋଳିଦାସପୁର ଗ୍ରାମରେ ପଂହଚି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । ବିନା ଟେଣ୍ଡରରେ ୠଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ମାଫିଆ ମାନେ ଜୋର ଜବରଦସ୍ତ ବାଲି ଉତୋଳନ କରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ରାଜସ୍ୱ ଓ ପୁଲିସ ପ୍ରଶାସନ ନିରବ ସାଜିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜିଛି । ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ବାଲି ମାଫିଆଙ୍କ ସହ ସଲାସୁତୁରା କରି ନିରୀହ ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ଥାନାରେ ଅଟକ ରଖିବା ଏବଂ ପ୍ରଶାସନିକ କଳ ଲଗାଇ ଲାଠି ଚାର୍ଜ କରିବା ଘଟଣାକୁ ଦଳ ପକ୍ଷରୁ ତିବ୍ର ନିନ୍ଦା କରାଯାଇଥିଲା ।

ଚୋରା ବାଲି ଗାଡ଼ି ଗୁଡ଼ିକ ଯାତାୟତ ସକାଶେ ସାଧାରଣ ଗରୀବ ଲୋକଙ୍କ ଚାଷ ଜମି ଉପରେ ବେଆଇନ ଭାବେ ରାସ୍ତା ତିଆରି କରାଯାଉଛି । ଏହାକୁ ବିରୋଧ କଲେ ଜେଲ ଭୟ ଦେଖାଯାଉଛି ବୋଲି କିଛି ଗ୍ରାମବାସୀ ବୁଧବାର ପ୍ରତିନିଧି ଦଳର କର୍ମକର୍ତାଙ୍କୁ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ପ୍ରଶାସନ କଳ ଜୁଲମ କରୁଛି ବୋଲି ପ୍ରତିନିଧି ଦଳର କର୍ମକର୍ତା ମାନେ ଦର୍ଶାଇଥିଲେ । ପରବର୍ତି ସମୟରେ କୋଳିଦାସପୁର ଗ୍ରସ୍ତ କାର୍ଯ୍ୟକ୍ରମ ଶେଷ କରି ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଘଟଣା ନେଇ ଆଲୋଚନା କରିବେ ବୋଲି କହିଥିଲେ । ବିଜେପି ରାଜ୍ୟ ଉପସଭାପତି ତଥା ଦଳର ମୁଖପାତ୍ର ଭୃଗୁ ବକ୍ସି ପାତ୍ରଙ୍କ ସମେତ ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶନୀ, ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ପ୍ରମୋଦ ପଣ୍ଡା, ହିଞ୍ଜିଳିକାଟୁ ନଗର ସଭାପତି ମାଧବ ଗୌଡ଼, ସନ୍ତୋଷ ପାଣିଗ୍ରାହୀ, ନିଳମଣି ବିଷଷାୟୀ, ରଞ୍ଜନ ପୋଲାଇ, ବିଜୟ ସ୍ୱାଇଁ, ଘୁମୁସର ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ ଶେଷଦେବ ସାହୁ)

Exit mobile version