ବନମାଳୀପୁର ଠାରେ ୧୫ ତମ ବାର୍ଷିକ ବିଶ୍ଵଶାନ୍ତି ନବଗ୍ରହ ଯଜ୍ଞଉତ୍ସବ

୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା  :- ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ନବଗ୍ରହ ସୌରସ୍କୃତି ସଂସଦ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଶ୍ରୀ ମହାପ୍ରଭୁ ନବଗ୍ରହଦେବ ବିଜେ ସ୍ଥଳୀ ବନମାଳୀପୁର ଠାରେ ନବଗ୍ରହ ବିଶ୍ଵଶାନ୍ତି ଯଜ୍ଞ ଉତ୍ସବ ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁରୀର ମୁଖ୍ୟ ପଣ୍ଡିତ ନିରଞ୍ଜନ ଆଚାର୍ଯ୍ୟ, ଶିବ ନାରାୟଣ ମହାପାତ୍ର,ଭରତ ମିଶ୍ର, ଦେବାଶିଷ ଶତପଥୀ, ବିବେକାନନ୍ଦ ମିଶ୍ର, ଅନନ୍ତ ହୋତା ପ୍ରମୁଖ ପଣ୍ଡିତମାନଙ୍କ ଦ୍ବାରା ବେଦପାଠ,ମନ୍ତ୍ରପାଠ, ଓ ଯଜ୍ଞକାର୍ଯ୍ୟ କରାଯାଇଥିଲା ।

ପ୍ରତି ବର୍ଷ ଶ୍ରୀ ପଞ୍ଚମୀ ଠାରୁ ମାଘ ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ବନମାଳୀପୁର (କୁସଭଦ୍ରା) ଶ୍ରୀ ଶ୍ରୀ ନବଗ୍ରହ ମନ୍ଦିରର ଗ୍ରହ ବ୍ରାହ୍ମଣ ସେବାୟତମାନଙ୍କ ଆନୁକୁଲ୍ୟରେ ସ୍ଥାନୀୟ ସମସ୍ତ ଗ୍ରାମବାସୀ ଓ ଦୂର୍ଗାପୂଜା କମିଟିର ସଭ୍ୟମାନଙ୍କ ତତ୍ତ୍ଵାବଧାନରେ ବିଶ୍ୱର କଲ୍ୟାଣ ତଥା ଗ୍ରାମର ମଙ୍ଗଳ କାମନାର୍ଥେ ନବଗ୍ରହ ବିଶ୍ଵଶାନ୍ତି ମହାଯଜ୍ଞ ପ୍ରତିବର୍ଷ ପରି ପାଳିତ ହେଉଛି । ଏଥିରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ଯଜ୍ଞ ଉତ୍ସବ ଦର୍ଶନ କରିବା ସହ ପ୍ରଭୁକୃପା ଲାଭ କରିଥିଲେ ।

ଏହି ଯଜ୍ଞରେ ଅଙ୍କୁରା ରୋପଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ନାମ ସଂକୀର୍ତ୍ତନ ପ୍ରସାଦ ସେବନ,ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ନାୟକ, ମନ୍ଦିରର ପରିଚାଳକ ଭକ୍ତଭୂଷଣ ନାୟକ, ସଂପାଦକ ହରିହର ମହାପାତ୍ର, କୁଶଭଦ୍ରା ସାଂସ୍କୃତିକ ପରିଷଦ କର୍ମକର୍ତ୍ତା ସମେତ ସମସ୍ତ ଗ୍ରାମବାସୀ ପରିଚାଳନାର ସହଯୋଗ କରିଥିଲେ । ଏହି ଯଜ୍ଞରେ ବନମାଳୀପୁର ଦଶମଠ ମହନ୍ତ ସୁଦର୍ଶନ ଦାସ ଜି ମହାରାଜ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ।

Exit mobile version