ମାର୍ଥାପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଦାବିପତ୍ର ପ୍ରଦାନ

୦୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ବାରଙ୍ଗ ବ୍ଲକ ମାର୍ଥାପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆସନ୍ତା ଶିକ୍ଷା ବର୍ଷରୁ ଖୋଲି ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ସୁରକ୍ଷା କମିଟିର ଅଭିଭାବକମାନେ ସୋମବାର ପୂର୍ବାହ୍ନରେ ପୁନର୍ବାର ଦାବି ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାର୍ଥାପୁର ବନ୍ଦ ହୋଇଛି ଓ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିବା ସତ୍ୱେ କୌଣସି ପଦକ୍ଷେପ ନନେଇ, ଏକ ଗ୍ରାମୀଣ ଅଦାଲତ କରିବେ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି । ଯାହାକୁ ଉକ୍ତ ଗ୍ରାମର ଅଭିଭାବକ ମାନେ ବିରୋଧ କରିଥିଲେ ଓ ସେହି ମର୍ମରେ ଆଜି ଦାବିପତ୍ର ପ୍ରଦାନ କରିଥିଲେ ।ଏହା ପରେ ଗ୍ରାମବାସୀମାନେ ବାରଙ୍ଗ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରି ଦାବିପତ୍ରର ଏକ କପି ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଏହା ପୂର୍ବରୁ ଅନେକବାର ବାରଙ୍ଗ ବିଡିଓ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଗ୍ରାମବାସୀମାନେ ଆନ୍ଦୋଳନ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଦାବିପତ୍ର ପ୍ରଦାନ ପରେ ବାରଙ୍ଗ ତହସିଲଦାର ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ସାକ୍ଷାତ କରିଥିଲେ ।ଅଭିଭାବକମାନଙ୍କ ପକ୍ଷରୁ ଆଗାମୀ ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମାର୍ଥାପୁର ସରକାରୀ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ମମତା ବେହେରା, ମଞ୍ଜୁଲତା ବିଶ୍ୱାଳ, କୁନିଲତା ନାୟକ, ପୁଷ୍ପଲତା ପାଇଟାଲ, ରଶ୍ମିତା ପାଇଟାଲ, ଅମ୍ୱିକା ବିଶ୍ୱାଳ, ସମିତା ଓଝା, ସୌଦାମିନୀ ପାଇଟାଲ, ବିଦ୍ୟାଳୟ ସୁରକ୍ଷା କମିଟି କଟକ ଜିଲ୍ଲା ସଂଯୋଜକ ଇଶା ଧର ଓ ବାରଙ୍ଗ ବ୍ଲକ ସଂଯୋଜକ ରାଜେଶ ରାଉତଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Exit mobile version