ପୁରୀର ଦୁଃଖ  ମୂଷାନଇ ଫେଲମାରିଛି : କୋଟି କୋଟି ଟଙ୍କାର ଯୋଜନା

୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ – ପୁରୀର ପ୍ରବେଶ ପଥ ଅଠରନଳା  । ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା  ( ଏଏସ୍ଆଇ  ) ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି  । ଅଠରନଳା ପୋଲଟି ବିପଦସଙ୍କୁଳ ସ୍ଥିତିକୁ ଆସିବା ପରେ ଏହା ଉପରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି  । ଐତିହ୍ୟ ସ୍ମାରକୀ ଭାବେ ଏବେ ସଂରକ୍ଷିତ  । ପ୍ରାୟ ୧୩୦୦ ମସିହାରେ ଏହା ନିର୍ମାଣ ହୋଇଥିବା ଅନୁମାନ କରାଯାଏ  । ଅଠରନଳା ଦେଖିଲେ ଭାବବିହ୍ବଳ ହୋଇଯାଏ  । ବିଶ୍ୱସ୍ତରୀଯ ସହର ହେବ ପୁରୀ ସହର  । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଠରନଳା ମୂଷାନଇରୁ ଦଳ ଓ ପଙ୍କ ସଫା କରାଯାଇଥିଲା  । ପଙ୍କ କଢା ମେସିନ ପ୍ରାୟ ଦୁଇବର୍ଷ ନଦୀ ଭିତରେ ପଡି ରହିଥିଲା  ।

ପ୍ରାୟ ୨୦ ଜଣ ଦଳକଢା ଶ୍ରମିକଙ୍କୁ ନିୟୋଜିତ କରାଯାଇ ଦଳ ସଫା କରାଯାଇଥିଲା  । ଦଳ ଖାଉଛି ଟଙ୍କା-ଠିକାଦାର ,ଯନ୍ତ୍ରୀ, ମନ୍ତ୍ରୀ,  ମଧ୍ଯସ୍ଥି କାମ କରି ଟଙ୍କା ଖାଇଯାଆନ୍ତି ବୋଲି କୁହାଯାଉଛି  । କିନ୍ତୁ ମୂଷାନଇରେ ଦଳ ଟଙ୍କା ଖାଇଯାଉଛି ବୋଲି ଜଣେ ବୃଦ୍ଧ କହୁଥିବା ଶୁଣାଯାଇଥିଲା  । ଦଳ କିଛି ମାନୁନି । ମେସିନରେ ସଫା କରାଗଲା ଶୁଣିଲାଣି  । ଲୋକ  ସଫା କଲେ କିଛି ଲାଭ ହେଲାନି  । ଡ୍ରେନେଜ ବିଭାଗ ସଫା କରି ପାରିଲାନାହିଁ  ବୋଲି ହାତ ଟେକିଦେଲା  । ମୂଷାନଇର କଲିକତି ଦଳ କିଛି ଶୁଣୁନାହିଁ ବୋଲି ସହରରେ ଚର୍ଚ୍ଚା ହେଉଛି  । ଊପର ସୁନ୍ଦର ତଳ ନାରଖାର- ଜାତୀୟ ସ୍ମାରକୀ ଅଠରନଳାର ଉପର ସୌନ୍ଦର୍ଯ୍ୟକରଣ କରିବା ପାଇଁ  ଅଫଳନ୍ତି କିଛି ଗଛ ପ୍ଲାଷ୍ଟିକ କୁଣ୍ଡରେ ରଖାଯାଇଛି  । ସିକ୍ଯୁରିଟ ଗାର୍ଡ ଜଗି ରହିଛି  ।

ପ୍ରବାସୀ ଓଡିଆ ଆଗମନ, ନୂଆବର୍ଷ ଓ ରଥଯାତ୍ରା ସମୟରେ ସ୍ବତନ୍ତ୍ର ଭାବେ ଅଠରନଳାକୁ ସଜାଯାଇ ନେଳି ନାଲି ଲାଏଟିରେ ଆଲୋକିତ କରାଯାଉଛି  । ଅଠରନଳାର ତଳ ସ୍ଥିତି ଅତି ସାଂଘାତିକ  । ମୂଷା ମାନଙ୍କର ଏନ୍ତୁଡିଶାଳ ପାଲଟିଛି  । ଡ୍ରେନେଜ ନାଳରେ ସହରର ପାଣି ନୂଆ ବ୍ରିଜ ତଳେ ଭସ ଭସ ହୋଇ ନିଷ୍କାସିତ ହେଉଛି  । ସୌରେଜ ପାଇପ ମଧ୍ଯ ବ୍ରିଜ ତଳେ ଯାଇଥିବାରୁ ମ୍ଯାନହୋଲରେ ଦୁର୍ଗନ୍ଧ ବାହାରୁଛି  । ପଲିଥିନ, ମଦ ବୋତଲ, ପ୍ଲାଷ୍ଟିକ ବୋତଲ, ମଲା କୁକୁର ଓ ବିଲେଇ ତଳେ ସଢୁଛନ୍ତି  । ପଙ୍କ ପ୍ରବଳ ପାଣି କମ ଯୋଗୁ ଦୁର୍ଗନ୍ଧମୟ ସ୍ଥିତି ଉପୁଜିଛି  । ବ୍ରିଜ ଉପରେ ପୌରସଂସ୍ଥା ଗାଡିରେ ପବିତ୍ର ପୁରୀ ଗର୍ବ ଆମରି ବାଜୁଛି ।
   
ଡଙ୍ଗା ଭାସୁଛି ପର୍ଯ୍ୟଟକ ନାହାନ୍ତି-ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀର ପ୍ରବେଶପଥ ଅଠରନଳା ଓ ମୂଷାନଇର ସୌନ୍ଦର୍ଯ୍ୟକରଣ ଯୋଜନା ହୋଇଥିଲା  । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ଯ ଗୋଟିଏ ପର୍ଯ୍ୟଟକ ସେଠାରେ ଦେଖିବାକୁ ମିଳୁନାହାନ୍ତି  । ହୁଳହୁଳିଆ ପୋଲ ଠାରୁ ଆଖଣ୍ଡଳମଣି ପଛପଟ ଦେଇ ଗରୁଡ ଛକ ପର୍ଯ୍ୟନ୍ତ ଚଲାପଥ ନିର୍ମାଣ ହୋଇଛି  । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଷ୍ଟିଲି ବାଡ ହୋଇଛି  । କେତେକ ସ୍ଥାନରେ ଷ୍ଟିଲ ବାଡକୁ ଦୁର୍ବୁତ୍ତ ଉପାଡି ଦେଇଥିବା ଦେଖିବାକୁ ମିଳିଛି  । ଅଠରନଳା ପୁରୁଣା ବ୍ରିଜ ଓ ନୂଆ ବ୍ରିଜ ମଝିରେ ଧର୍ମକୁ ଆଖିଠାର ପରି ଗୋଟିଏ ଡଙ୍ଗା ଶିକୁଳିରେ ବନ୍ଧା ହୋଇ ନଷ୍ଟ ହେବାକୁ ବସିଲାଣି  ।
   
ପାଣି ଯାଉନି ବାଟ ପାଉନି – ପୂର୍ବରୁ ଅଠରନଳାର ମୂଷାନଦୀ ଚିରସ୍ରୋତା ଥିଲା  । ଜଗନ୍ନାଥଙ୍କ ଦର୍ଶନ ପାଇଁ ଘାଟ ଡଙ୍ଗା  ଓ ଘାଟ ପଢିଆରୀ ବ୍ଯବସ୍ଥା ଥିଲା  । ତୀର୍ଥଯାତ୍ରୀ ମାନେ ତୀର୍ଥକ୍ଷେତ୍ର ଦେଇ ପୁରୀକୁ ପ୍ରବେଶ କରୁଥିଲେ  । ନଦୀ ପୋତି ହୋଇଯିବାରୁ ଓ ଦଳ ପ୍ରବଳ ଯୋଗୁଁ  ପାଣି  ଯାଉନାହିଁ  । ଅନ୍ଯପକ୍ଷରେ ହୁଳୁହୁଳିଆ ପୋଲ ଦେଇ ହରେକୃଷ୍ଣପୁର, ସମଗରା, ଗୋପାଳପୁର ଆଦି ମୌଜାରୁ ବର୍ଷା ଦିନେ  ପାଣି ହୁଳୁହୁଳିଆ ପୋଲ ଦେଇ ମୂଷାନଦୀକୁ ଆସୁଥିଲା  । ଏବେ ଯୋର ,ଜଳାଶୟ ଓ ଜଳ ନିଷ୍କାସନ ସ୍ଥାନରେ ଜନବସତି ଓ ଘର ନିର୍ମାଣ ଯୋଗୁଁ ଗହୀର ବିଲ ପାଣି  ହୁଳୁହୁଳିଆ ପୋଲ ପାଖକୁ ଆସିବା ପାଇଁ ବାଟ ପାଉନାହିଁ  ।

ମୂଷାନଦୀରେ ଜଳସ୍ତର କମିବାରୁ ଦଳ ପ୍ରବଳ ବେଗରେ ବଂଶ ବିସ୍ତାର କରି ବଢିଚାଲିଛି  । ପୁରୀ ସହରକୁ ବିଶ୍ବସ୍ତରୀୟ ସହର କରିବା ପାଇଁ କେବଳ ବୋର୍ଡ ମାରି ଅଳ୍ପ କାମ କରିବା ଯୋଗୁ  ଲୋକଙ୍କ ଆଶା ଆକାଂକ୍ଷା ଧୂଳିସାତ ହୋଇଛି । ଅଠରନଳା ପୁରୁଣା ବ୍ରିଜ ଠାରୁ ମଙ୍ଗଳଘାଟ ହରେକୃଷ୍ଣପୁର ରାସ୍ତା ପର୍ଯ୍ୟନ୍ତ ମଙ୍ଗଳାନଦୀକୁ ସଂଯୋଗ କରିବା  ପାଇଁ  ହୋଇଥିବା  ଯୋଜନା ଏବେ ଫଳବତୀ ହୋଇପାରିନାହିଁ । ଡ୍ରେନେଜ ବିଭାଗର କାମ ବନ୍ଦ କରି ଇଡିକୋ କୁ ଦିଆଯାଇଥିବା କାମ ବନ୍ଦ  ରହିଛି । ନୂଆ ସରକାର ପୁରୀର ପ୍ରବେଶପଥକୁ ସୌନ୍ଦର୍ଯ୍ୟକରଣ ଓ ମୂଷାନଦୀର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଅଞ୍ଚଳବାସୀ, ସହରବାସୀ ଓ ବୁଦ୍ଧିଜୀବୀମାନଙ୍କ ଦାବି ଉଠାଇଛନ୍ତି  ।

Exit mobile version