ସଂକଟରେ ବିଦେଶାଗତ ପକ୍ଷୀ ସୁରକ୍ଷା ନେଇ ପ୍ରଶ୍ନବାଚୀ

୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ସ୍ଥାନରେ ସପ୍ତାହେ ଧରି ମେଞ୍ଚା ମେଞ୍ଚା କାଉ ମରୁଥିବା ଜଣାଯାଇଛି । ଏହା ପୂର୍ବରୁ କୁକୁଡ଼ା ଫାର୍ମ ମାନଙ୍କରେ ହଜାର ହଜାର ସଂଖାରେ କୁକୁଡ଼ା ବି ମରିଥିବା ନଜର ରହିଛି । ଏନେଇ ବିଭିନ୍ନ ପତ୍ର ପତ୍ରିକା ଦୂରଦର୍ଶନରେ ମଧ୍ୟ ଖବର ପ୍ରସାରିତ ହୋଇଛି । ଲଗାତାର ଦୁଇ ତିନି ଦିନ ଧରି ପ୍ରସାରିତ ହେବା ପରେ ବି ପ୍ରଶାସନର ତତ୍ପରତା କିଛି ଜଣାଗଲାନାହିଁ। ଖୋଲା ଖୋଲି ଭାବରେ ଅଞ୍ଚଳର ବଜାର ଘାଟରେ କୁକୁଡ଼ା ବିକ୍ରୀ ଚାଲିଲା ।

ଲୋକେ ଆତଙ୍କିତ ଥିବା ବେଳେ କିଛି ଆମିଷାଶୀ ବ୍ୟକ୍ତି ମୃତ୍ୟୁକୁ ଭୟ ନକରି ପକ୍ଷୀ ମାଂସକୁ ଖାଇବାକୁ ଲାଗିଲେ । କିଛି ଦିନ ଥମିବା ପରେ ପୁଣି ସିଆଳର ଚିଲିକା କୂଳରେ ଥିବା ଝାଉଁ ବଣ, ମାଲୁଦ, କୃଷ୍ଣପ୍ରସାଦ, ଚାରିଛକ, ନୂଆପଡା ଆଦି ସ୍ଥାନ ମାନଙ୍କରେ ଗଣ୍ଡା ଗଣ୍ଡା କାଉ ମରି ପଡୁଥିବାର ଜଣାପଡିଛି । ଏଥି ପ୍ରତି ପ୍ରାଣୀ ଚିକିତ୍ସା ବିଭାଗ ନଜର ଦେଇ ସୁରକ୍ଷା ବ୍ୟବସ୍ଥା ନକରାଇଲେ ଏହି ପକ୍ଷୀ ରୋଗ ମଣିଷକୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି ।

ନିକଟରେ ଏସିଆ ମହାଦେଶର ବୃହତମ ଲୁଣା ହ୍ରଦ ଚିଲିକା ଏବଂ ପକ୍ଷୀ ବିହାର ନଳବଣରେ ଥିବା ବିଦେଶାଗତ ଅତିଥି ପକ୍ଷୀଙ୍କୁ ଆକ୍ରାନ୍ତ କରିବା ସନ୍ଦେହ ଉପୁଜିଛି । ଦିନକୁ ଦିନ କାଉ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଞ୍ଚଳରେ ଥିବା ପ୍ରାଣୀ ବିଭାଗ କର୍ମଚାରୀ ମାନେ ଜାଣି ନଜାଣିଲା ପରି ଚୁପ ରହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ନୀରବତା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନନେଲେ ମନ୍ୟୁଷ ଏବଂ ବିଦେଶାଗତ ଅତିଥି ପକ୍ଷୀ ଆକ୍ରାନ୍ତ ହେବା ନିଶ୍ଚିତ ହୋଇପଡିଛି ।

Exit mobile version