ପର୍ଯ୍ୟଟକଙ୍କ ଟଙ୍କା ଓ ଅଳଙ୍କାର ଚୋରି : ଦୁଇ ଅଭିଯୁକ୍ତ ଗିରଫ

୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ  :- ମା କାଳିଜାଇ ଦର୍ଶନରେ ଆସିଥିବା ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଓ ଅଳଙ୍କାର ଲୁଟ ଅଭିଯୋଗରେ ବାଲୁଗାଁ ପୋଲିସ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ଶଙ୍କର ପଲେଇ ଓ ବିଘ୍ନେଶ୍ୱର ପଲେଇ l ପୋଲିସ ଏ ନେଇ ୨୭/୨୫ ରେ ଏକ ମାମଲା ରୁଜୁ କରି ଶନିବାର ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରିଛି l 

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଜରିପଡା ଅଞ୍ଚଳରେ ୧୫ଜଣ ପୁରୁଷ ଓ ମହିଳା ସପରିବାର ଗତ ଗୁରୁବାର ନିଜସ୍ୱ ଡଙ୍ଗାରେ ଚିଲିକା ହ୍ରଦରେ ମା କାଳିଜାଇ ଦର୍ଶନ ନିମନ୍ତେ ଆସିଥିଲେ l ତେବେ ଫେରିବା ବେଳେ ସନ୍ଧ୍ୟା ହୋଇଯିବାରୁ ବାଲୁଗାଁ ଚିଲିକା କୁଳ ଜେଟି ଠାରେ ଡ଼ଙ୍ଗା ରଖି ରାତ୍ରି ଯାପନ କରିଥିଲେ l ସକାଳୁ ଉଠି ଦେଖିବା ବେଳକୁ କିଛି ବ୍ୟକ୍ତିଙ୍କ ମନି ପର୍ସ ଏବଂ ଜଣେ ମହିଳାଙ୍କ ବେକରୁ ସୁନା ହାର ଚୋରି ଯାଇଥିବା ଜଣାପଡିଥିଲା l

ତେବେ ପର୍ଯ୍ୟଟକଙ୍କ ଡ଼ଙ୍ଗା କୁ ଲାଗି ଅନ୍ୟ ଏକ ଡ଼ଙ୍ଗାରେ ରାତ୍ରି ଯାପନ କରିଥିବା ଦୁଇ ଜଣ ଯୁବକ ଏହି ଚୋରୀର ସମ୍ପୃକ୍ତ ଥିବା ନେଇ ଜରିପଡା ଗ୍ରାମର ବୁଲୁ ବେହେରା ଶୁକ୍ରବାର ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ତେବେ ଚୋରି ସାମଗ୍ରୀ ଅନ୍ୟକୁ ହସ୍ତାନ୍ତର ହେତୁ ଉଦ୍ଧାର ହୋଇପାରିନାହିଁ, ଅନୁସନ୍ଧାନ ଜାରି ରହିଛି, ଖୁବ ଶୀଘ୍ର ଜବତ କରାଯିବ ବୋଲି ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି l

Exit mobile version