ବିଦ୍ୟୁତ୍ କମ୍ପାନୀ ଟାଟା ପାୱାର ପକ୍ଷରୁ ସ୍ମାର୍ଟ ମିଟର ବସାଇବା ବିରୁଦ୍ଧରେ ଉପଭୋକ୍ତଙ୍କ ମେଳି

୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବିଦ୍ୟୁତ୍ କମ୍ପାନୀ ଟାଟା ପାୱାର ପକ୍ଷରୁ ସ୍ମାର୍ଟ ମିଟର ବସାଇବା ବିରୁଦ୍ଧରେ ଆଜି ବାଙ୍କୀରେ ଉପଭୋକ୍ତାମାନଙ୍କ ପକ୍ଷରୁ ତିବ୍ର ପ୍ରତିବାଦ କରାଯାଇଛି । ଟାଟା ପାୱାର ପକ୍ଷରୁ ସାରା ରାଜ୍ୟରେ ୪ଗୋଟି ଜୋନ୍ କମ୍ପାନୀ ପକ୍ଷରୁ ସଚଳ ପୁରୁଣା ମିଟର ବଦଳାଇ ବର୍ତ୍ତମାନ ନୂଆ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଯାଉଥିବାରୁ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳୁଛି । ବର୍ତ୍ତମାନ ବାଙ୍କୀରେ ଟାଟା ପାୱାର ପକ୍ଷରୁ କିଛି ଗ୍ରାହକମାନଙ୍କର ମିଟର ଚାଲୁଥିବା ବେଳେ ଏହା ପୁରୁଣା ମିଟର ଏଥିରୁ ଆଉ ରିଡିଙ୍ଗ୍ ନିଆଯିବ ନାହିଁ କହି ଆଭେରେଜ୍ ବିଲ୍ ଏ ମାସ ଠାରୁ ଦେଉଛନ୍ତି ।

ଗ୍ରାହକ ଯେତିକି ମାସିକ ଦେୟ ଦେଉଥିଲା ବର୍ତ୍ତମାନ ଆଭେରେଜ୍ ବିଲ୍ ଦିଆଯିବା ଫଳରେ ୨ ରୁ ୩ଗୁଣା ଦେୟ ବଢ଼ିଯିବାରୁ ଗ୍ରାହକମାନେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ ଏହି ପୁରୁଣା ମିଟର ବଦଳରେ ନୂଆ ପ୍ରିପେଡ୍ ମିଟର ଗ୍ରାହକଙ୍କ ଇଛା ବିରୁଦ୍ଧରେ ଲଗାଯାଉଅଛି । ଏହି ମିଟର ଲଗାଯିବା ଫଳରେ ପୂର୍ବରୁ ଯାହା ମାସକ ଗ୍ରାହକ ବିଦ୍ୟୁତ୍ ଦେୟ ଦେଉଥିଲେ ଏବେ ତାହା ୫ଗୁର ବଢ଼ି ଯିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଦୁଇ ଦିନ ଧରି ବାଙ୍କୀ ବଜାରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ଏ ସଂପର୍କରେ ଏକ ବୈଠକ ଡାକିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଆଜି ସ୍ଥାନୀୟ ଋଚକା ହାଟ ପରିସରରେ ସମାଜସେବୀ ଭାଗୀରଥି ବିଶ୍ୱାଳଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ଉପନଗରପାଳ ସନ୍ତୋଷ କୁମାର ରଣା, ସମବାୟବିତ୍ ସମରେନ୍ଦ୍ର ମହାପାତ୍ର, କାଉନସିଲର ସନାତନ ବେହେରା, ପଠାଣୀ ବେହେରା, କହ୍ନେଇ ପ୍ରଧାନ, ମୁନୁ ପଟ୍ଟନାୟକ, ପ୍ରଫୁଲ୍ଲ ଦାସ, କାଶିନାଥ ପ୍ରଧାନ, ସଂଜୀବ ନାୟକ, ପି.ଚିରଞ୍ଜିବ ପାତ୍ର, ରାଜେଶ ମିଶ୍ର, ଆକୁଳ ବାରିକ, ରବିନ୍ଦ୍ରନାଥ ସାହୁ, ବିକଳ ଗୋଚ୍ଛି, କୁନାମିଶ୍ରଙ୍କ ସମେତ ଶହେରୁ ଉର୍ଦ୍ଧ୍ୱ ଉପଭୋକ୍ତା ଯୋଗଦେଇଥିଲେ ।

ଅଧିକ ସଂଖ୍ୟାରେ ଅଧିକ ଗ୍ରାହକଙ୍କୁ ଏଥିରେ ସାମିଲ୍ କରିବା ପାଇଁ ବିଭିନ୍ନ ସଂଘ, ଅନୁଷ୍ଠାନର କର୍ମକର୍ତ୍ତା ସଦସ୍ୟମାନଙ୍କୁ ନେଇ ଆସନ୍ତା ୨୫ତାରିଖରେ ବାଙ୍କୀ ସହର ମହାଦେବ ପେଣ୍ଡାଲ୍ ଠାରେ ଏକ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । କୌଣସି ପ୍ରକାର ଟାଟା କମ୍ପାନୀର ଏହି ଗରବ ମାରଣା ବ୍ୟବସାୟୀ ନୀତି ନୂଆ ମିଟର ବାଙ୍କୀରେ ଲଗାଇ ନଦେବା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ସଂଗ୍ରାମ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ମିଟର ଲଗାଇ ସାଧାରଣ ଗ୍ରାହକ ହନ୍ତସନ୍ତ ହୋଇ କ୍ଷତି ହେବାକୁ ଥିବାରୁ ଆସନ୍ତା ବୈଠକରେ ସମସ୍ତ ସାଧାରଣ ଜନତା ଦଳମତ ନିର୍ବିଶେଷରେ ସାମିଲ୍ ହେବାକୁ ଆହ୍ୱାନ ଦିଆଯାଇଥିଲା ।

 

Exit mobile version