କୁମ୍ଭ ମେଳା ଭାରତର ମହାନ ସନାତନ ସଂସ୍କୃତି ଭଳି ବହୁ ପୁରାତନ – କୁମ୍ଭମେଳା

୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ପଦ୍ମ ପୁରାଣ ଅନୁସାରେ କୁମ୍ଭ ମେଳା ସମୟରେ ସଙ୍ଗମ ସ୍ନାନ ମୋକ୍ଷ ପ୍ରଦାନ କରିଥାଏ l କୁମ୍ଭ ମେଳା ଭାରତର ମହାନ ସନାତନ ସଂସ୍କୃତି ଭଳି ବହୁ ପୁରାତନ l ଦେବାସୁର ଲଢେଇ ସହିତ କୁମ୍ଭ ମେଳା ଇତିହାସ ଯୋଡ଼ି ହୋଇ ରହିଛି l ଇତିହାସ ଅନୁସାରେ ଦେବାସୁରଙ୍କ ମିଳିତ ଭାବେ କରିଥିବା ସମୁଦ୍ର ମନ୍ଥନରୂ ଅମୃତ ବାହାରିଲା l ରାକ୍ଷସମାନେ ଦେବତାଙ୍କୁ ପରାସ୍ତ କରି ଅମୃତ ନିଜ ପାଖରେ ରଖିନେଲେ l ଅସୁରମାନଙ୍କ ଠାରୁ ଅମୃତକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଗୁରୁ ବୃହସ୍ପତି ଯୋଜନା ପ୍ରସ୍ତୁତ କଲେ l ସେଥିପାଇଁ ସେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କୁ ପଠେଇଲେ l ଜୟନ୍ତଙ୍କୁ ସହଯୋଗ କରିବା ପାଇଁ ଚାରିଜଣ ଦେବତାଙ୍କ ତାଙ୍କ ସହିତ ଯୋଗଦେଲେ l

କଳସରେ ଥିବା ଅମୃତର ସୁରକ୍ଷା ଓ ଅମୃତ ଯେପରି ଚହଲି ପଡ଼ିନଯାଏ ସେଥିପାଇଁ ଚନ୍ଦ୍ରଙ୍କୁ ପଠାଗଲା l ଜୟନ୍ତଙ୍କ ସହିତ ଗଲେ ନିଜେ ସୂର୍ଯ୍ୟ ଦେବତା l ତାଙ୍କର କାମ ଥିଲା କଳସକୁ ଯେକୌଣସି କ୍ଷତିରୁ ରକ୍ଷା କରିବା ଅର୍ଥାତ ପାତ୍ର ଯେପରି ଭାଙ୍ଗି ନଯାଉ l ବୃହସ୍ପତି ନିଜେ ରାକ୍ଷସଙ୍କୁ ଅଟକେଇବା କାମରେ ନିୟୋଜିତ ହେଲେ l ଶନି ଜୟନ୍ତଙ୍କ ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ ହେଲେ l ଜୟନ୍ତ ଲୋଭରେ ଆସି ଯେପରି ସବୁ ଅମୃତ ପିଇ ନଦିଅନ୍ତୁ ସେଥିପାଇଁ ଏପରି ଯୋଜନା ପ୍ରସ୍ତୁତ ହୋଇଥିଲା l

ଦେବତାମାନେ ଅସୁରଙ୍କ ଠାରୁ ଅମୃତ ଚୋରେଇ ଆଣିଲେ ସତ କିନ୍ତୁ ଚାରିବୁନ୍ଦା ଅମୃତ ପୃଥିବୀ ଉପରେ ପଡିଗଲା l ଜୟନ୍ତ ଅମୃତ ନେଇ ପଳେଇ ଯାଉଥିବା ବେଳେ ରାକ୍ଷସ ତାଙ୍କର ପିଛା କଲେ, ସଂଘର୍ଷ ହେଲା l ସଂଘର୍ଷ ସମୟରେ ଯେଉଁଠାରେ ଅମୃତ ପଡିଗଲା ସେହି ଚାରୋଟି ସ୍ଥାନ ହେଉଛି ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ l ସମସ୍ତ ସ୍ଥାନ ପବିତ୍ର ନଦୀ ନିକଟରେ ଅବସ୍ଥିତ l ନାସିକ ଅରୁଣ ଓ ବରୁଣ ନଦୀର ସଙ୍ଗମ ସ୍ଥଳ ଯେଉଁଠାରୁ ଗୋଦାବରୀ ନଦୀର ଆରମ୍ଭ ହୋଇଛି l

ହରିଦ୍ୱାର ଗଙ୍ଗା ନଦୀ କୂଳରେ ଏବଂ ପ୍ରୟାଗ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ l ଉଜ୍ଜୟିନି ଶିପ୍ରା ନଦୀ କୂଳରେ ଅବସ୍ଥିତ l ଅମୃତ ଚୋରେଇବା ପାଇଁ ଜୟନ୍ତଙ୍କ ସହିତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଯାଇଥିବାରୁ ସେହି ଗ୍ରହମାନଙ୍କ ଅଵସ୍ଥାନ ଅନୁସାରେ କୁମ୍ଭମେଳାର ସ୍ଥାନ ଓ ସମୟ ନିରୂପଣ କରାଯାଏ l ଚୈତ୍ର ମାସରେ ଯେବେ ଗୁରୁ ଓ ଶନି କୁମ୍ଭ ରାଶିରେ ଏବଂ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ଠିକ ସେହି ସମୟରେ ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ ହୁଏ l

ଚୈତ୍ର ମାସରେ ଯେତେବେଳେ ଗୁରୁ ସିଂହ ରାଶିରେ ଓ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ସେତେବେଳେ ଉଜ୍ଜୟୀନୀ ରେ କୁମ୍ଭ ମେଳା ଆରମ୍ଭ ହୁଏ l ଭାଦ୍ରବ ମାସରେ ସୂର୍ଯ୍ୟ ଓ ବୃହସ୍ପତି ସିଂହ ରାଶି କିମ୍ବା ଚନ୍ଦ୍ର, ସୂର୍ଯ୍ୟ ଓ ବୃହସ୍ପତି ତିନି ଦେବତା ଯେତେବେଳେ ଅମାବାସ୍ୟାରେ କର୍କଟ ରାଶିରେ ରହନ୍ତି ସେତେବେଳେ ନାସିକରେ କୁମ୍ଭ ଅନୁଷ୍ଠିତ ହୁଏ l ମାଘ ମାସରେ ବୃହସ୍ପତି ମେଷ ବା ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ସୂର୍ଯ୍ୟ ଓ ନବଚନ୍ଦ୍ର ମିଶି ଶନିଙ୍କ ମକର ରାଶିରେ ଅଵସ୍ଥାନ କରନ୍ତି ଠିକ ସେତିକି ବେଳେ ପ୍ରୟାଗରେ ପୂର୍ଣ୍ଣ କୁମ୍ଭ ଅନୁଷ୍ଠିତ ହୁଏ l

ରାକ୍ଷସମାନଙ୍କ ଠାରୁ ଅମୃତ ଆଣିବା କାର୍ଯ୍ୟ ଗୋଟିଏ ଦିନରେ ସମାପ୍ତ ହୋଇ ନଥିଲା l ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ 12 ଦିନ ସମୟ ଲାଗିଥିଲା l ଦେବତାମାନଙ୍କର ଗୋଟିଏ ଦିନ ପୃଥିବୀ ପାଇଁ ଗୋଟିଏ ବର୍ଷ ସହ ସମାନ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି l ଅନ୍ୟ ଏକ ବିଷୟ ହେଉଛି ଦେବ ଗୁରୁ ବୃହସ୍ପତି ଗୋଟିଏ ରାଶିରେ ୧ ବର୍ଷ ଅଵସ୍ଥାନ କରନ୍ତି l ୧୨ ଟି ରାଶି ଭ୍ରମଣ କରିବା ପାଇଁ ତାଙ୍କୁ ୧୨ ବର୍ଷ ଲାଗିଯାଏ l ବୃହସ୍ପତିଙ୍କ ଗତି ଅନୁସାରେ ୧୨ ବର୍ଷରେ ଥରେ ପ୍ରୟାଗର ତ୍ରିବେଣୀ ସଙ୍ଗମରେ କୁମ୍ଭ ମେଳା ହୁଏ, ଯାହାକୁ ପୂର୍ଣ୍ଣ କୁମ୍ଭ କୁହାଯାଏ  l

୧୨ ଟି ପୂର୍ଣ୍ଣ କୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୁଏ l ଚଳିତ ୨୦୨୫ କୁମ୍ଭ ମହାକୁମ୍ଭ ଅଟେ l ଚଳିତ ମହାକୁମ୍ଭରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ ବୋଲି ଆକଳନ କରାଯାଉଛି l ଯାହା ସମ୍ପୂର୍ଣ ଆମେରିକାର ଜନସଂଖ୍ୟା ଠାରୁ ଅଧିକ l ଭାରତ ଓ ଭାରତ ବାହାରୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବୁଡ଼ ପକେଇବା ପାଇଁ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି l
ଗୁରୁ ବୃହସ୍ପତି ଖଗୋଳ ଅନୁସାରେ ପୃଥିବୀର ରକ୍ଷା କର୍ତ୍ତା ଅଟନ୍ତି l ଯେତେ ସବୁ ଆଷ୍ଟ୍ରଏଡ଼ ପୃଥିବୀ ଆଡକୁ ଆସନ୍ତି ସେ ସବୁକୁ ବୃହସ୍ପତି ନିଜ ଆଡକୁ ଟାଣି ନିଅନ୍ତି l

ଯେଉଁ କାରଣରୁ ପୃଥିବୀ ଧ୍ବଂସ ନହୋଇ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି l ମାନବ ସଭ୍ୟତା ବଞ୍ଚି ରହିଛି l ବୃହସ୍ପତି ଆକାରରେ ବହୁତ ବଡ଼ ହୋଇଥିବା କାରଣରୁ ତାଙ୍କର ଗୁରୁତ୍ୱ ଆକର୍ଷଣ ଶକ୍ତି ପୃଥିବୀ ଠାରୁ ଅଧିକ l ଆକର୍ଷଣ ଶକ୍ତି ଅଧିକ ହୋଇଥିବା କାରଣରୁ ପୃଥିବୀ ଆଡକୁ ଆସୁଥିବା ବଡ଼ ବଡ଼ ଆଷ୍ଟ୍ରଏଡ଼ର ଗତି ପରିବର୍ତ୍ତନ ହୋଇଯାଏ l ମହାଜାଗତିକ ଶକ୍ତି ଦ୍ୱାରା ପୃଥିବୀରେ ଧ୍ବଂସ ଲୀଳା ସମ୍ଭବ ହୁଏ ନାହିଁ l

ଗୁରୁ ବୃହସ୍ପତିଙ୍କୁ ଶ୍ରଦ୍ଧା ନିବେଦନ ପାଇଁ କୁମ୍ଭମେଳା ଭବ୍ୟ ଓ ଦିବ୍ୟ ସ୍ୱରୂପରେ ପାଳିତ ହୋଇ ଆସୁଛି l ବୈଦିକ କାଳଖଣ୍ଡ ପରେ କୁମ୍ଭମେଳାକୁ ସର୍ବାଧିକ ଜନପ୍ରିୟ କରେଇଥିବା ବ୍ୟକ୍ତି ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ l କୁମ୍ଭ ମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ l ଅଥର୍ବ ବେଦରେ ଚତୁର୍ଥ ମଣ୍ଡଳରେ ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ…) l ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି l

ପଦ୍ମ ପୁରାଣ ଅନୁସାରେ କୁମ୍ଭ ମେଳା ସମୟରେ ସଙ୍ଗମ ସ୍ନାନ ମୋକ୍ଷ ପ୍ରଦାନ କରିଥାଏ l ମତ୍ସ୍ୟ ପୁରାଣରେ ମଧ୍ୟ ସମାନ ବର୍ଣ୍ଣନା ଦେଖିବାକୁ ମିଳିଥାଏ l ହର୍ଷବର୍ଦ୍ଧନଙ୍କ ରାଜତ୍ୱ କାଳରେ ଚୀନ ପାରିବ୍ରlଜକ ହୁଅନସାଂ ଭାରତ ଭ୍ରମଣ କରିଥିଲେ l ତାଙ୍କ ଭ୍ରମଣ ବୃତାନ୍ତରେ ମଧ୍ୟ କୁମ୍ଭମେଳାର ଉଲ୍ଲେଖ ଅଛି l ୨୦୧୭ ରେ ଯୁନେସ୍କୋ କୁମ୍ଭମେଳାକୁ ମାନବତାର ଅମୂର୍ତ୍ତ ସାଂସ୍କୃତିକ ପରମ୍ପରା ସୂଚୀରେ ସାମିଲ କରିଛି  l

Exit mobile version