୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଖଣ୍ଡପଡାରୋଡସ୍ଥ ହନୁମାନ ମନ୍ଦିର ଠାରୁ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ବେଳେ ଉକ୍ତ ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ,ପୂଜ୍ଯପୂଜା କମିଟି,ରୋଟାରୀ କ୍ଲବ,ସିଭିଲ୍ ସୋସାଇଟି , ନୟାଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଆଦି ଅନେକ ସାମାଜିକ ଅନୁଷ୍ଠାନ ଯୋଗଦେଇଥିଲେ। ସକାଳ ୧୧ଟାରେ ହାଉସିଂ ବୋର୍ଡ ନିକଟ ବିଦ୍ଯାଳୟର ନୂତନ ଭବନ ପରିସରରେ ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଅପରାହ୍ନ ୦୩ଟାରେ ବିଦ୍ଯାଳୟର ଉପଦେଷ୍ଟା ପ୍ରାଧ୍ୟାପକ ଅଶୋକ କୁମାର ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ସମାଜରେ ସଂସ୍କାର ଆଣିବା ପାଇଁ ପିତାମାତାଙ୍କ ବିଶେଷ ଭୂମିକା ଥିବା ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ପଦ୍ମବିଭୂଷଣ ପ୍ରାପ୍ତ ଶିଳ୍ପୀ ଗୁରୁ ସୁଦର୍ଶନ ସାହୁ, ମୁଖ୍ଯ ବକ୍ତା ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ପ୍ରାକ୍ତନ ଉପଦେଷ୍ଟା ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ ଓ ସମ୍ମାନିତ ଅତିଥି ଭାବେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତବ୍ଯ ରଖିଥିଲେ।

