ରାଜ୍ୟ ସରକାର ଏଚଏମପିଭି ଭାଇରସ ଉପରେ ନିଜସ୍ୱ ନିର୍ଦ୍ଦେଶାବଳୀ ଜାରି କରନ୍ତୁ : ବିଜେଡି

 ନବୀନଙ୍କ ସମୟରେ ଓଡିଶା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା

 ପ୍ରବାସୀ ଭାରତୀୟ ଦିବସ ପରି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଓଡିଶାର ଭିତ୍ତିଭୂମି ପ୍ରସ୍ତୁତ

 କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆଗୁଆ ଥିଲା

୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ନିଶ୍ଚିତ ଭାବେ ଆମ ରାଜ୍ୟ ପାଇଁ ଏହା ଏକ ଗୌରବର କଥା । ସେ ପ୍ରବାସୀ ଭାରତୀୟ ଦିବସ ହେଉ କି ଡିଜି ସମ୍ମିଳନୀ ହେଉ, ବିଗତ କିଛି ବର୍ଷରେ ଓଡିଶା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯେଉଁଥିପାଇଁ ଆଜି ଏଭଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହୋଇପାରୁଛି । ଏହି ଭିତ୍ତିଭୂମିର ବିକାଶ ଓ ଓଡିଶାକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଛି ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଛନ୍ତି ।

ଦେଶରେ ସମ୍ପ୍ରତି ଏଚଏମପିଭି ଭାଇରସ ଚାରି ରାଜ୍ୟରେ ଚିହ୍ନଟ ହୋଇସାରିବା ପରେ ଏହାର ପ୍ରଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଦେଇଥିବା ମନ୍ତବ୍ୟରେ ରାଜ୍ୟ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି କହିବା ସହିତ କେନ୍ଦ୍ରର ନିର୍ଦ୍ଦେଶାବଳୀ ଆସିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଲୋକ ମାନଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କରିଛନ୍ତି । କିନ୍ତୁ କେବଳ କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ଅପେକ୍ଷା ନକରି ବିଶେଷଜ୍ଞ ମାନଙ୍କ ମତ ନେଇ ଆବଶ୍ୟକ ସତର୍କମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆମେ ଦାବି ଜଣାଉଛୁ ।

ବିଶେଷକରି ରାଜ୍ୟରେ ଏବେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି, ଯେଉଁଥିରେ ଦେଶ ବିଦେଶରୁ ଅନେକ ଅତିଥି ଏଠାକୁ ଆସିବେ । ଅତିଥି ଦେବୋ ଭବ ଆମ ସଂସ୍କୃତିର ଅଙ୍ଗ ହୋଇଥିଲା ବେଳେ ଅତିଥି ମାନଙ୍କୁ ଚର୍ଚ୍ଚା ପାଇଁ ଆମ ରାଜ୍ୟ ପାଇଁ ସୁଯୋଗ ରହିଛି । ଏଚଏମପିଭି ଭାଇରସ ଦେଶରେ ଆବିର୍ଭାବ ହୋଇଥିବା ବେଳେ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେଉଥିବାରୁ ସରକାର ଆବଶ୍ୟକୀୟ ସତର୍କତା ଅବଲମ୍ୱନ କରିବାର ଆବଶ୍ୟକତା ଅଛି । ତେଣୁ ବିଜୁ ଜନତା ଦଳ ତରଫରୁ ସରକାରଙ୍କୁ ଅନୁରୋଧ କରୁଛୁ ଯେ, କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ଅପେକ୍ଷା ନକରି ବିଶେଷଜ୍ଞଙ୍କ ମତ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରନ୍ତୁ,

ଯାହାଦ୍ୱାରା ପ୍ରବାସୀ ଭାରତୀୟ ଦିବସ ସୁରୁଖୁରୁରେ ହେବା ସହିତ ରାଜ୍ୟବାସୀଙ୍କ ମନରୁ ଆଶଙ୍କା ଦୂର ହେବ ବୋଲି ଶ୍ରୀ ଜେନା କହିଥିଲେ । ମୁଁ ଆପଣ ମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁଛି ଯେ, କୋଭିଡ ସମୟରେ ନବୀନ ସରକାର କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ପାଳନ କରିବା ସହିତ ନିଜସ୍ୱ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରୁଥିଲେ, ଯେଉଁଥି ପାଇଁ କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆଗୁଆ ରହିଥିଲା । କର୍ଣ୍ଣାଟକ ରାଜ୍ୟ ଆଜି ତାଙ୍କ ରାଜ୍ୟ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ନିଜସ୍ୱ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ଶ୍ରୀ ଜେନା କହିଥିଲେ ।

Exit mobile version