– ୯ ଦିନ ଧରି ପୁରୀ ସାମୁକା ସମୁଦ୍ର କୂଳରେ ପ୍ରକମ୍ପିତ ହେବ ମନ୍ତ୍ର ଧ୍ଵନୀ
– ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗଦେବେ ୧୫୧ ପଣ୍ଡିତ
– ରାଜ୍ୟବାସୀଙ୍କର ସୁଖ, ଶାନ୍ତି, ସମୃଦ୍ଧି, ପରିବେଶ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ନିମନ୍ତେ ଓଡ଼ିଶାରେ ପ୍ରଥମ ଥର ବିଶାଳ ମହାଯଜ୍ଞ
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ/ ଭୁବନେଶ୍ବର :-> ଯଜ୍ଞ ସମାଜର ମଙ୍ଗଳ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ପାଇଁ ଏକ ମାର୍ଗ ଅଟେ। ମନକୁ ଶୁଦ୍ଧ ଓ ପବିତ୍ର କରିବା ସହ ଭଗବାନଙ୍କ ସହ ଯୋଡ଼ିହେବାରେ ଯଜ୍ଞ ମଧ୍ୟ ଏକ ଦିଗ ଅଟେ। ସମାଜ ତଥା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରି ସମାଜ କଲ୍ୟାଣ ଓ ସୁଖ, ଶାନ୍ତିର ପ୍ରାର୍ଥନା କରିବାର ଏକ ଅବସର। ଏହି ପରିପ୍ରେକ୍ଷୀରେ ଏକ ସୁସ୍ଥ, ସ୍ବଚ୍ଛ ପରିବେଶ ଭିତରେ ହଜାର ହଜାର ଲୋକଙ୍କୁ ଏକାଠି କରି ରାଜ୍ୟର ଶାନ୍ତି, ସମୃଦ୍ଧି, ପରିବେଶ କଲ୍ୟାଣର୍ଥେ ତଥା ବାୟୁମଣ୍ଡଳ ଶୁଦ୍ଧିକରଣ ନିମନ୍ତେ ଏହି ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ଆୟୋଜନ କରାଯାଉଅଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବିଶାଳ ଯଜ୍ଞର ଆୟୋଜନ କରାଯାଉଛି। ପୂଜାନନା ଯଜ୍ଞ ଫାଉଣ୍ଡେସନ ଏଵଂ ପରିବର୍ତ୍ତନ ଓଡିଶା ତଥା ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କ ପକ୍ଷରୁ ଫେବୃୟାରୀ ୨ ତାରିଖ (ରବିବାର)ଶ୍ରୀ ପଞ୍ଚମୀଠାରୁ ୧୦ ତାରିଖ ସୋମବାର ମାଘ ଶୁକ୍ଳ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହି ମହାଯଜ୍ଞ ପୁରୀ ବ୍ରହ୍ମଗିରି ରାସ୍ତା ଗିରଳ ଛକ ନିକଟସ୍ଥ ଶାମୁକା ପ୍ରକଳ୍ପ ପାଖରେ ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୧ ଜଣ ବୈଦିକ ବ୍ରାହ୍ମଣ ଯୋଗଦେବେ।
