ଅନ ଲାଇନ ମାଧ୍ୟମରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ – ହିଞ୍ଜିଳିକାଟୁ


ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ହିଞ୍ଜିଳିକାଟୁ :- ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ପ୍ରଥମ ଥର ପାଇଁ ଅନ ଲାଇନ ମାଧ୍ୟମରେ ଶିକ୍ଷକ ଏବଂ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଏସଇପିଏ ଯୁଗ୍ମ ନିର୍ଦ୍ଦେଶକ ଡଃ ସନାତନ ପଣ୍ଡା, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ ବିଦ୍ୟାଳୟ ପରିଚାଳନା ସଭାପତି ଶରତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂସ୍କୃତ ଶିକ୍ଷୟିତ୍ରୀ ନିତୀଦେବା ପାଢ଼ୀ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ୩୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୧୦ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ସୂଚନା ପ୍ରଦାନ କରିଥିଲେ ।

ଏଥିସହିତ କରୋନା ମହାମାରୀ ସମୟରେ ଗତ ୧ ମଇ ଠାରୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅନ ଲାଇନ ଜରିଆରେ ଶିକ୍ଷାଦାନ କରିବା ସହିତ ସପ୍ତାହିକି ପରୀକ୍ଷା ପରିଚାଳନା,ପାଠ୍ୟ ବିଷୟରେ ସନ୍ଦେହ ଦୂରୀକରଣ ଏବଂ ଆଣ୍ଡ୍ରେଡ଼ ଫୋନ ଉପଲବ୍ଧ ନ ଥିବା ଛାତ୍ର ଛାତ୍ରୀ ଙ୍କୁ ଅଡିଓ କନଫେରେନ୍ସ ମାଧ୍ୟମରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଶିକ୍ଷୟିତ୍ରୀ ରଶ୍ମିତା ପାଢ଼ୀ ସେଣ୍ଟର ଫର ଏକ୍ସେଲେନ୍ସି ସମ୍ପର୍କରେ ସୂଚନା ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଛାତ୍ର ଛାତ୍ରୀଙ୍କ ଅନ ଲାଇନ ମାଧ୍ୟମରେ ଶିକ୍ଷାପ୍ରଦାନ ପଦ୍ଧତି ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗ ପାଇଁ ପ୍ରଶଂସା କରିଥିଲେ।ଏହି ବୈଠକରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ୮୨ ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ। (ହିଞ୍ଜିଳିକାଟୁ /ଶେଷଦେବ ସାହୁ)

Exit mobile version