ଘରୋଇକରଣ ବିରୁଦ୍ଧରେ ପରିମଳ କର୍ମଚାରୀଙ୍କ ବିକ୍ଷୋଭ

୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-  ପୁରୀ ପୌରସଭା ପରିମଳ ସଫେଇ ବ୍ୟବସ୍ଥାକୁ ଘରୋଇକରଣ କରି ଆଉଟ ସୋସିଂ କମ୍ପାନୀ ହାତରେ ଟେକିଦବା ନୀତି ବିରୁଦ୍ଧରେ ପୁରୀ ମ୍ୟୁନିସିପାଲଟି ଶ୍ରମିକ ୟୁନିୟନ ଡାକରାରେ ଶହ ଶହ ଶ୍ରମିକଙ୍କ ବିକ୍ଷୋଭ ଶୋଭାଯାତ୍ରା ମୋଚିସାହି ଛକ ଠାରୁ ବାହାରି ପୌରସଭା କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ଏହା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ସରକାର ଯେଉଁଭଳି ଭାବରେ ନୂଆ ନିଯୁକ୍ତି ନଦେଇ ସ୍ଵୀକୃତି ପ୍ରାପ୍ତ ୬୬୪ପଦବୀକୁ ଅବସର ନେଇଥିବା କର୍ମଚାରୀଙ୍କ ସ୍ଥାନରେ ନିଯୁକ୍ତି ନଦେଇ ଆଉଟ ସୋସିଂ କମ୍ପାନୀମାନଙ୍କ ଜରିଆରେ କାମ କରେଇବାକୁ ଚାହୁଁଛନ୍ତି | ସମସ୍ତ ପୁରୀ ସହରକୁ ଆଠଟି ପରିମଳ ଜିଲ୍ଲାରେ ବିଭକ୍ତ କରାଯାଇଛି ।

ଏହି ସମସ୍ତ ପରିମଳ ଜିଲ୍ଲାର କାର୍ଯ୍ୟ ପାଇଁ ପୌରସଭାକୁ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ବର୍ତମାନ ଆଉଟସୋସିଂ ସଂସ୍ଥାମାନଙ୍କ ମାଧ୍ୟମରେ ଗୋଟିଏ ପରିମଳ ଜିଲ୍ଲାରେ ୨୨ ରୁ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ | ଫଳରେ ସମଗ୍ର ସହରକୁ ସଫେଇ କରିବା ପାଇଁ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଉକ୍ତ ଟଙ୍କା ବାସିନ୍ଦାଙ୍କ ଉପରେ ଟିକସ ହେବ । ସେହିପରି ଭାବରେ ଗତ ମାର୍ଚ୍ଚ ମାସରୁ ଘୋଷିତ ହୋଇଥିବା ସର୍ବନିମ୍ନ ମଜୁରୀ ୪୦୦ ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରାଯାଉ ନାହିଁ ।

ପି.ଏଫ୍ କଟା ଯାଉଥିଲେ ମଧ୍ୟ ଡିପୋଜିଟ୍ କରାଯାଉ ନାହିଁ । ୨୦ –୨୫ ବର୍ଷଧରି ଦୈନିକ ମଜୁରୀରେ କାମ କରୁଥିବା କର୍ମଚାରୀଙ୍କୁ ଅବସର ପରେ ଗ୍ରାଚୁଇଟି ମଧ୍ୟ ଦିଆଯାଉ ନାହିଁ ଯାହାଆଇନତ ଅପରାଧ । ପାରମ୍ପାରିକ ଭାବେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କ ପରିବାରଙ୍କ ମଧ୍ୟରୁ ଜଣକୁ ନିଯୁକ୍ତିଦବା ଘରୋଇକରଣ ବନ୍ଦ କରିବା ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ଦାବି ନେଇ ବିକ୍ଷୋଭ ସଂଘଠିତ ହୋଇଥିଲା ।

ଉକ୍ତ ବିକ୍ଷୋଭରେ ୟୁନିୟନର ସଭାପତି ଜଗନ୍ନାଥ ଦେଓ ସଭାପତିତ୍ଵ କରିଥିଲେ । ରାଜ୍ୟ ନେତା ପ୍ରଦିପ୍ତ ନାୟକ,ୟୁନିୟନ ସମ୍ପାଦକ ଟୁନା ନାୟକ, କୋଷାଧକ୍ଷ ଜ୍ୟୋତି ପ୍ରକାଶ ନାୟକ, ଟୁନି ନାୟକ, ସୁରେନ୍ଦ୍ର ନାୟକ, ବେନୁଦେଇ, ବିଷ୍ଣୁପ୍ରିୟା ନାୟକ, ଭାଗୀ ନାୟକ, ରଞ୍ଜନା ଦେଇ, ଅନିଲ ନାୟକ, ମୁନା ନାୟକ ଆନ୍ଦୋଳନର ନେତୃତ୍ବ ନେଇଥିଲେ l ଦେବାସନ ନାୟକ, ସବିତା ଦେଇ ଆନ୍ଦୋଳନର ପରିଚାଳନା କରିଥିଲେ ।

Exit mobile version