୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ସର୍ବଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ସହବନ୍ଧିତ ଅଖିଳ ଭାରତ ଗୃହ ଓ ନିର୍ମାଣ ଶ୍ରମିକ ଫେଡେରେସନର ଜାତୀୟ ପରିଷଦ ବୈଠକ ୟୁଥହଷ୍ଟେଲ ଠାରେ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ବାସୁଦେବ ଗୁପ୍ତା ଅଧ୍ୟକ୍ଷତା କରିଥିଲେ । ନିର୍ମାଣ ଶ୍ରମିକଙ୍କୁ ଧାର୍ଯ୍ଯ ସମୟରେ ପଞ୍ଜିକରଣ, ସହାୟତା ବଣ୍ଟନ, ସାମାଜିକ ସୁରକ୍ଷା ପ୍ରଦାନ, ମାସିକ ୧୦ ହଜାର ଟଙ୍କା ପେନସନ ଓ ନିର୍ମାଣ ଶ୍ରମିକ ଫାଣ୍ଠିକୁ ସଦୁପୋଯୋଗ ପାଇଁ ଦାବି କରାଯାଇଥିଲା । ବିଜେପି ସରକାର ଶ୍ରମିକ ବିରୋଧୀ ଓ ପୁଞ୍ଜିପତିମାନଙ୍କ ସହ ଅଲିଖିତ ମେଣ୍ଟ କରି ନୂଆ ଶ୍ରମ ଆଇନ ଲାଗୁ କରିବାକୁ ଚେଷ୍ଟା କରୁଛି । ଏହା ବିରୁଦ୍ଧରେ ପ୍ରତି ବ୍ଲକ ଜିଲ୍ଲା ଓ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ।

ଆସନ୍ତା ଏପ୍ରିଲ ମାସରେ ପ୍ରତି ରାଜ୍ୟରୁ ଏକ ହଜାର ନିର୍ମାଣ ଶ୍ରମିକ ପାର୍ଲାମେଣ୍ଟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ଓଡିଶା ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ । ଫେଡେରେସନର ଜାତୀୟ ସାଧାରଣ ସମ୍ପାଦକ ବିଜୟନ କୁନସାରି , ଉପସାଧାରଣ ସମ୍ପାଦକ ଏମ ପ୍ରବୀଣ କୁମାର, ଏଆଇଟିୟୁସି ଓଡିଶା କାର୍ଯ୍ଯକାରୀ ସଭାପତି ମହେଶ୍ବର ରାଉତ, ରାଜ୍ୟ ସମ୍ପାଦକ ଏନ ଗୋପାଳ, ଉପସଭାନେତ୍ରୀ ଚିନ୍ମୟୀ ସାହାଣୀ, ସୁହାନା ବେଗମ, ହରିହର ସେନାପତି, ପ୍ରଦୀପ୍ତ ମହାନ୍ତି, ପାଣ୍ଡବ ଭୋଇ, ସୁରେଶ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମିଳନୀ ଡିସେମ୍ବର ୧୯ରୁ ୨୧ ଅନୁଷ୍ଠିତ ହୋଇଥିଲା ।
