Home ଓଡ଼ିଶା ଦିଲ୍ଲୀରେ ପୁଷ୍ପଶ୍ରୀଙ୍କର ସୁମଧୁର ସଙ୍ଗୀତରେ ଶ୍ରୋତା ସ୍ତମ୍ବୀଭୂତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟରର ଷ୍ଟେନ ପ୍ରେକ୍ଷାଳୟରେ ନିକଟରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଡଃ. ପୁଷ୍ପଶ୍ରୀ ମିଶ୍ରଙ୍କର ସୁମଧୁର ସଙ୍ଗୀତରେ ଶ୍ରୋତାମାନେ ସ୍ତମ୍ବୀଭୂତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା । କିରାନା ଘରାନାର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶେଷଜ୍ଞ ଡଃ. ମିଶ୍ରଙ୍କର ଠୁମରି, ଭଜନ ଓ ଗଜଲ ଆଦି ସୁଗମ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବାରେ ନିପୁଣତା ରହିଛି। ମାତ୍ର ପାଞ୍ଚ ବର୍ଷର କୋମଳ ବୟସରୁ ପ୍ରସିଦ୍ଧ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କର ଅଧିନରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରି ଏକୋଇଶ ବର୍ଷ ବୟସରେ ପୁଷ୍ପଶ୍ରୀ ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ଅଳଙ୍କାର ସ୍ନାତକ ଡିଗ୍ରୀ ହାସଲ କରି ପାରିଥିଲେ । ଦେଶର ବହୁ ନାମୀ ଦାମୀ ସଙ୍ଗୀତ ମହାସମାରୋହରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଥିବା, ଡଃ. ମିଶ୍ର ,କଳା ଓ ସଂସ୍କୁତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ବହୁବିଧ ବିରଳ ପ୍ରତିଭାର ଅଧିକାରିଣୀ ଡଃ ମିଶ୍ର ଏବେ ଭାରତ ସରକାରଙ୍କ ଅଧିନରେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ରହିଛନ୍ତି । ସନ୍ଧ୍ୟାର କାର୍ଯ୍ୟକ୍ରମ କବୀରଙ୍କର ଦୁଇଟି ମର୍ମସ୍ପର୍ଶୀ ଭଜନରୁ ଆରମ୍ଭ ହୋଇଥିଲା । ଗାୟିକାଙ୍କର ସୁନ୍ଦର, ସୁଲଳିତ ଏବଂ ସାବଲୀଳ ଢଙ୍ଗରେ ଗାୟନ,କବୀରଙ୍କ ରଚନାର ପ୍ରତ୍ୟେକ ପଂକ୍ତି ସହିତ ଜଡ଼ିତ ଥିବା ଦାର୍ଶନିକ ଏବଂ ଐଶ୍ବରିକ ଭାବାବେଗକୁ ବେଶ ପ୍ରାଞ୍ଜଳ ଓ ପାରଦର୍ଶିତାର ସହିତ ଅବତାରଣା କରିବାକୁ ସକ୍ଷମ ହୋଇଥିଲା । କବୀରଙ୍କର କବିତାରେ ଧାର୍ମିକ ପରିଧିକୁ ପାର ହୋଇ ଆଧ୍ୟାତ୍ମିକ ଅଲୌକିକତାର ଉଚ୍ଛ୍ଵାସ ସ୍ପଷ୍ଟ ବାରି ହୋଇ ପଡୁଥିଲା । ପରବର୍ତ୍ତୀ ପରିବେଷଣ ବିଖ୍ଯାତ ଭକ୍ତକବି ଦାଶ ନାରାୟଣଙ୍କର କୃଷ୍ଣ ଭଜନ ଥିଲା । ଏଠାରେ ଗାୟିକାଙ୍କର କଣ୍ଠର ଗାମ୍ଭୀର୍ଯ୍ୟ, ଗାୟନର ମାଧୁର୍ଯ୍ୟ ଓ ପ୍ରସ୍ତୁତିର ପ୍ରାଚୁର୍ଯ୍ୟରେ ଶ୍ରୋତାମାନେ ଆତ୍ମହରା ହୋଇ ଭଗବତ ସତ୍ତାର ସ୍ପର୍ଶ ଲାଭ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମୀରାବାଈଙ୍କର ଭକ୍ତି ସଙ୍ଗୀତ ଥିଲା । ମୀରାଙ୍କର ଗୀତ ମାଧ୍ୟମରେ ଭଗବାନଙ୍କ ପ୍ରତି ସାତ୍ୱିକ ପ୍ରେମ ନିବେଦନ, ଆକୁଳ ପ୍ରାର୍ଥନା ଏବଂ ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ପୁଷ୍ପଶ୍ରୀ ତାଙ୍କର ଗାୟନ ମାଧ୍ୟମରେ ଯେଭଳି ନିଚ୍ଛକ ଓ ଜୀବନ୍ତ ଭାବରେ ପ୍ରଦର୍ଶନ କରିଥିଲେ ,ତାହା ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ଗାୟିକାଙ୍କର ଜାଦୁଗରୀ ଗାୟନରେ ଉପସ୍ଥିତ ରସିକମାନେ ଅଭିଭୂତ ହେବା ସାଙ୍ଗକୁ ଅନନ୍ତ ଆନନ୍ଦର ଅଜସ୍ର ସ୍ୱାଦ ଆସ୍ବାଦନ କରିବାକୁ ସକ୍ଷମ ହୋଇଥିବା ପରି ଲାଗୁଥିଲା । ସମଗ୍ର ଏକ ଘଣ୍ଟାର କାର୍ଯ୍ୟକ୍ରମଟି ଖୁବ ଉଚ୍ଚକୋଟିର ଥିଲା ଏବଂ ପ୍ରତ୍ୟେକ ଉପସ୍ଥାପନର ଶେଷରେ ଦର୍ଶକମାନେ ବିପୁଳ କରତାଳି ସହିତ କଳାକାରଙ୍କୁ ଉତ୍ସାହିତ କରୁଥିବା ଦେଖାଯାଉଥିଲା । ପୁଷ୍ପଶ୍ରୀଙ୍କର ଗାୟନ ସତେ ଯେପରି ସେଦିନ ଭରପୁର ଷ୍ଟେନ ପ୍ରେକ୍ଷାଳୟରେ ସଙ୍ଗୀତର ପୁଷ୍ପ ବର୍ଷଣ କରି ଚାଲିଥିଲା । ଉଭୟ କଳାପ୍ରେମୀ ଜନସାଧାରଣ ଏବଂ ସଂସ୍କୃତି ସମୀକ୍ଷକ ମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବେଶ ପସନ୍ଦ କରିଥିଲେ ଏବଂ ଡଃ ପୁଷ୍ପଶ୍ରୀ ମିଶ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଯନ୍ତ୍ର ସଙ୍ଗୀତରେ ଡଃ. ମିଶ୍ରଙ୍କୁ ସହଯୋଗ କରିଥିବା କଳାକାରମାନଙ୍କ ମଧ୍ୟରେ ତବଲାରେ ଦିବ୍ୟାଂଶୁ କୁମାର, ହାରମୋନିୟମରେ ମୁକେଶ ଭରଦ୍ବାଜ, ବଂଶୀରେ ରାଗ ୟମନ ଓ ମଞ୍ଜିରାରେ ପ୍ରଶାନ୍ତ ବାଭାରିଆ ପ୍ରମୁଖ ଅନର୍ଭୂକ୍ତ ଥିଲେ । ସୁଦକ୍ଷ ଉଦଘୋଷିକା, ଅଙ୍କିତା କୁମାରୀ ସମଗ୍ର ଅଧିବେଶନକୁ ଖୁବ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026