– ଜନସାଧାରଣ ଏବଂ ସରକାରୀ ଯୋଜନା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛି “ଅଧିକାର” ଯୋଜନା
– ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଆବେଦନ ପ୍ରକ୍ରିୟାରେ ସହାୟତା
୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ସମାବେଶୀ ବିକାଶ ଓ ଗୋଷ୍ଠୀ ସଶକ୍ତୀକରଣ ଦିଗରେ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ‘ଅଧିକାର’ ପ୍ରକଳ୍ପ ଆରମ୍ଭ କରିଛି। ଜନ ସାଧାରଣ ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ମଧ୍ୟରେ ସମ୍ପର୍କ ସେତୁ ଭାବରେ କାର୍ଯ୍ୟ କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ଵାରା କୋରାପୁଟ ଜିଲ୍ଲାର ୫୦ଟି ଗାଁର ଲୋକେ ଉପକୃତ ହେବେ। ଗ୍ରାମୀଣ ତଥା ବୟସ୍କ ଏବଂ ଆର୍ଥିକ ଅନଗ୍ରସର ଲୋକଙ୍କ ନିକଟରେ ସରକାରୀ କଲ୍ୟାଣକାରୀ ଯୋଜନା ପହଞ୍ଚାଇ ସେମାନଙ୍କୁ ସଶକ୍ତ କରିବା ନେଇ ଅଧିକାର ପ୍ରକଳ୍ପର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ମୁଖ୍ୟତଃ ବିଭିନ୍ନ ସରକାରୀ ଯୋଜନାକୁ ସମାଜର ଶେଷ ବର୍ଗ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥାଏ। ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅଧିକାର ସମ୍ପର୍କରେ ଅବଗତ କରାଇବା ଏବଂ ଅତ୍ୟାବଶ୍ୟକ ସେବା ପାଇବା ଦିଗରେ ଥିବା ପ୍ରତିବନ୍ଧକକୁ ଦୂର କରିବାରେ ଏହି ପ୍ରକଳ୍ପ ସକ୍ଷମ ହେବ।
ଏକ ବ୍ୟାପକ ଏବଂ ସହଯୋଗୀ ଆଭିମୁଖ୍ୟ ମାଧ୍ୟମରେ ହିତାଧିକାରୀ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ମଧ୍ୟରେ ସେତୁ ଭାବେ ଅଧିକାର ପ୍ରକଳ୍ପ ସହାୟକ ହେବ। ଜାତୀୟ ସାମାଜିକ ସହାୟତା ଯୋଜନା (ଏନ୍ଏସ୍ଏପି), ମଧୁ ବାବୁ ପେନସନ ଯୋଜନା (ଏମବିପିୱାଇ), ସୁଭଦ୍ରା ଯୋଜନା, ସିଏମ କିଷାନ, ପିଏମ କିଷାନ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ବୈପାରିଗୁଡ଼ାଠାରେ ଏକ ଅଧିକାର ସୂଚନା କେନ୍ଦ୍ର ରହିଛି। ଆବେଦନ ପ୍ରକ୍ରିୟାକୁ ସରଳ କରିବା, ପରିଚୟ ଦସ୍ତାବିଜ ଯୋଗାଇବା ଏବଂ ସରକାରୀ ଯୋଜନା ପାଇଁ ଥିବା ଆବଶ୍ୟକତାଗୁଡିକର ଅନୁପାଳନ ସୁନିଶ୍ଚିତ କରିବାରେ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି। ଏହି ବ୍ୟାପକ ପଦକ୍ଷେପ ଦ୍ୱାରା ହଜାର ହଜାର ଲୋକ ଉପକୃତ ହେଉଛନ୍ତି।
