୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :- ପୂର୍ବୋଦୟ ପରିପ୍ରେକ୍ଷୀ: ଭାରତର ସାମୁଦ୍ରିକ ଐତିହ୍ୟ – ଦୃଷ୍ଟିକୋଣ, ସମ୍ଭାବନା ଏବଂ ପୂର୍ବାନୁମାନ ଉପରେ ଆନ୍ତର୍ଜାତିକ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୧୪-୧୫ରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ତାଜ ଭିଭାନ୍ତାଠାରେ ଅନୁଷ୍ଠିତ ହେବ । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ମିଳିତ ସହଯୋଗରେ ଏନର୍ଜି ଫୋରମ୍ (ଟିଇଏଫ୍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ସାମୁଦ୍ରିକ ପରମ୍ପରା ଏବଂ ଏହାର ଭବିଷ୍ୟତ ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଶ୍ୱର ପ୍ରମୁଖ ସ୍ୱରମାନଙ୍କୁ ଏକାଠି କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ସିଦ୍ଧାର୍ଥ ପ୍ରଧାନ (ଭାରତ ସରକାରଙ୍କ ଅବସରପ୍ରାପ୍ତ ସଚିବ) ଉଦ୍ ଘାଟନ କରିବା ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସ୍ୱାଗତ ଭାଷଣ ଦେବେ। ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ସଚିବ ଶ୍ରୀ ଜୟଦୀପ ମଜୁମଦାର, ବିମଷ୍ଟେକ୍ ର ମହାସଚିବ ଇନ୍ଦ୍ର ମଣି ପାଣ୍ଡେ ଏବଂ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସର ମନ୍ତ୍ରଣାଳୟ କାଉନସେଲର ଦୁରାପଦ ସାପକୋଟାଙ୍କ ଭଳି ସମ୍ମାନିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
