ଗୋଆ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ରାଜ୍ୟପାଳଙ୍କ ଆଲୋଚନା

୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଦୀପକ୍ ବନ୍ଦେରକରଙ୍କ ନେତୃତ୍ୱରେ ଓଡ଼ିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମଚଂଳ ଗଣମାଧ୍ୟମ ପ୍ରତିନିଧି ଦଳ ଚଳିତ ଡ଼ିସେମ୍ବର ୧୧ ତାରିଖ ଦିନ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଗୋଆ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ଓ ଗୋଆର ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ବିଭବ ସଂପର୍କରେ ଆଲୋଚନା କରିଥିଲେ ।

ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ, ଓଡ଼ିଶା ପରି ପବିତ୍ର ଭୂମିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ପର୍ଯ୍ୟଟନ ସଂପର୍କରେ ସେମାନେ ଜାଣି ଗୋଆ ଲୋକମାନଙ୍କୁ ଏସଂପର୍କରେ ଜଣାଇବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଏକ ଭାରତ,ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରି କହିଥିଲେ ଯେ ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତର ଅନନ୍ୟ ସୌନ୍ଦର୍ଯ୍ୟ ।

ଭାରତରେ ଅଂଚଳ ଅନୁଯାୟୀ ରୀତିନୀତି, ଚଳଣୀ, ପରମ୍ପରା, ଭାଷା ଅଲଗା ହେଲେ ମଧ୍ୟ ଭାରତ ଏକତା ସୂତ୍ରରେ ବାନ୍ଧି ହୋଇ ରହିିଛି । ଉଭୟ ରାଜ୍ୟ ମଧ୍ୟରେ ଥିବା ସାମଞ୍ଜସ୍ୟ ସଂପର୍କରେ ଆଲୋକପାତ କରି ଗୋଆ ପ୍ରତିନିଧି ଦଳଙ୍କର ଓଡ଼ିଶା ପରିଦର୍ଶନ ଓଡ଼ିଶା ଓ ଗୋଆ ମଧ୍ୟରେ ସଂପର୍କ ସୁଦୃଢ଼ କରିବ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ । ଏହି ଅବସରରେ ଗୋଆରୁ ଆସିଥିବା ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version