କୋଣାର୍କ ସାହିତ୍ୟ ଉତ୍ସଵରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କ ପ୍ରଜ୍ଞା ସମ୍ମାନ ପ୍ରଦାନ

୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି  :-> କୋଣାର୍କ ଉତ୍ସବ ୨୦୨୪ ଅବସରରେ ରାଜ୍ଯ ପର୍ଯ୍ୟଟନ ବିଭାଗ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀ ପଟ୍ଟନାୟକ କବିସୂର୍ଯ୍ୟ , ଯଦୁମଣି, ରାଧାନାଥ, ଦିନକୃଷ୍ଣ, କାଳିଦାସ, ଯଶୋବନ୍ତ ଦାସ ପ୍ରଭୁତି ଗ୍ରନ୍ଥାବଳୀ ସମେତ ନାଟକ , ଉପନ୍ୟାସ, ଗଳ୍ପ, ପ୍ରବନ୍ଧ ଆଦି ଶତାଧିକ ପୁସ୍ତକ ରଚନା କରିଛନ୍ତି । ସେ ତାଙ୍କର ରଚନା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ମଧ୍ଯ ପୁରସ୍କୃତ ସହ ସମ୍ମାନିତ ହୋଇଛନ୍ତି । ଖାଲି ସେତିକି ନୁହେଁ ସେ ପୁରାଣ ପତ୍ରିକାର ସମ୍ପାଦକ ଭାବରେ ରହିଛନ୍ତି।

କୋଣାର୍କ ସାହିତ୍ୟ ସଂସଦର ସଭାପତି ତିବିକ୍ରମ ରାମ କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ସବିତା ପ୍ରଧାନ, ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁ, ଓ ଭାରତ ବିଖ୍ୟାତ ଓଡିଶୀ ନୃତ୍ୟ ବିଦୁଷୀ ଡକ୍ଟର ସୁଜାତା ମହାପାତ୍ର, ଯୋଗ ଶ୍ରୀ ପଟ୍ଟନାୟକଙ୍କୁ ଅର୍କ ପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରିଥିଲେ । ଏଥିରେ ଶତାଧିକ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ ।

ଏହି କୋଣାର୍କ ସାହିତ୍ୟ ସଂସଦର ଅବସରରେ ସାହିତ୍ୟ ପତ୍ରିକା “ଧରମା” ର ସପ୍ତମ ସଂଖ୍ୟା ଉନ୍ମୋଚନ ହୋଇଥିବା ବେଳେ ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସଵରେ ବହୁସଂଖ୍ୟକ କବି ଓ କବୟିତ୍ରୀ ଯୋଗ ଦେଇ ସେମାନଙ୍କର ସ୍ୱ ରଚିତ ଗଳ୍ପ ଓ କବିତା ପାଠ କରିଥିଲେ । ଆଉ ମଧ୍ୟ ଏହି କୋଣାର୍କ ସାହିତ୍ୟ ସଂସଦ ଉତ୍ସବରେ ଭାଷା ଓ ଅସ୍ମିତା ବିଷୟରେ ସାରଗର୍ଭକ ଆଲୋଚନା କରାଯାଇଥିଲାବେଳେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସଂପାଦକୀୟ ବିବରଣୀ ପାଠ କରିଥିଲେ ।

Exit mobile version