ବାଙ୍କୀ କଲେଜରେ ବିଶ୍ୱ ଏଡ୍‌ସ୍ ଦିବସ ପାଳିତ

୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବରେଡକ୍ରସ ସଂସ୍ଥା ଓ ରେଡ୍‌ରିବନ୍ କ୍ଲବର ମିଳିତ ଆୟୋଜନରେ ଆଜି ବିଶ୍ୱ ଏଡ୍‌ସ୍ ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗିତା ହେବା ସହ ଏଡ୍‌ସ୍ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏଡ୍‌ସ୍ ସଚେତନତା ସଭା ଯୁବରେଡକ୍ରସ କାଉନସିଲର ଅଧ୍ୟାପିକା ସରସ୍ୱତୀ ଦେଉରୀଙ୍କ ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏଡ୍‌ସ୍ ରୋଗର ଭୟାଭୟତା , ଏହାର କାରଣ, ଏଚ୍‌.ଆଇ.ଭି ଜୀବାଣୁ ଓ ନିରାକରଣ ଉପରେ ବହୁ ତଥ୍ୟ ଉପସ୍ଥାପନ କରିଥିଲେ । ସଚେତନ ଓ ସତର୍କତା ଅବଲମ୍ବନ କଲେ ଏଡ୍‌ସ୍ ରୋଗରୁ ମୁକ୍ତି ମିଳିବ ବୋଲି ମୁଖ୍ୟଅତିଥି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଯୋଗଦାନ କରି ଯୁବରେଡକ୍ରସ ସଂସ୍ଥାର ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କହିବା ସହିତ ଏଡ୍‌ସ୍ ରୋଗର ନିରାକରଣର ବିଭିନ୍ନ ଉପାୟମାନ କହିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋରଞ୍ଜନ ସାହୁ, ପୁରୁଷ ଯୁବରେଡକ୍ରସ କାଉନସିଲର ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ, ଅଧ୍ୟାପକ ଆଶିଷ କୁମାର ପାଢୀ ଓ ରଞ୍ଜିତ କୁମାର ରାଉତ ପ୍ରମୁଖ ଯୋଗଦାନ କରି ଏଡ୍‌ସ୍ କିପରି ହୋଇଥାଏ ତାହାର ବିଭିନ୍ନ କାରଣମାନ ଆଲୋଚନା କରିଥିଲେ । ଏଡ୍‌ସ୍ ସମ୍ବନ୍ଧୀୟ ଚିତ୍ରକଳା ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ରାଉତ ପ୍ରଥମ, ସୋନାଲି ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ପୂଜା ପ୍ରିୟଦର୍ଶିନୀ ଓ ଲୋପୁତା ଷଡଙ୍ଗୀ ଯୁଗ୍ମ ତୃତୀୟସ୍ଥାନ ଅଧିକାର କରିଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ସୁରମ ବେହେରା ପ୍ରଥମ, ବିଦ୍ୟୁସ୍ମିତା ଦାଶ ଦ୍ୱିତୀୟ ଓ ସନ୍ଧ୍ୟାରାଣୀ ପାଇକରାୟ ତୃତୀୟସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଯୁବରେଡକ୍ରସ କାଉନସିଲର ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କଲେଜ ପରିସରରେ ଯୁବରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ।

Exit mobile version