୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି । ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନଓ ଭବିଷ୍ୟନିଧି ) ସଞ୍ଜୟ କୁମାର,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସ୍ୱତନ୍ତ୍ର ଶାସନ ସଚ୍ଚିବ, ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର,
ବରିଷ୍ଠ ଲେଖାଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, କଲ୍ୟାଣ ପଣ୍ଡା ଯୋଗଦେଇ ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ। ବରିଷ୍ଠ ଲେଖାଧିକାରୀ ଶ୍ରୀ ମହାପାତ୍ର ପେନସନ ଓ ଜିପିଏଫ ଆବେଦନ ପତ୍ର ପଠାଉଥିବା ବେଳେ ଯେଉଁ ଭୁଲ କରନ୍ତି ତାର ସଂଶୋଧନ କିପରି କରାଯାଇ ପାରିବ ପିପିଟି ମାଧ୍ୟମରେ ବୁଝାଇଥିଲେ। ଏହି ପେନସନ ଅଦାଲତରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୫୩୫ଟି ମାମଲାର ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ ୬ ଜଣଙ୍କୁ ସେହି ମଞ୍ଚରେ ପେନସନ କାଗଜ ପ୍ରଦାନ କରାଯାଇଥିଲା ଓ ଅନ୍ୟ ସମସ୍ତ ପେନସନ ମାମଲା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ।
