୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସହରାଞ୍ଚଳରେ ଅବସ୍ଥିତ ବିଭିନ୍ନ ଗ୍ରାମଗୁଡିକର ଭୌଗୋଳିକ ସୂଚନା ସଂପର୍କୀୟ ମାଷ୍ଟର ପ୍ଳାନ ସମ୍ବନ୍ଧୀୟ ଦ୍ୱିତୀୟ କର୍ମଶାଳା କଟକ ପ୍ରମୋଦ ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ସହର ତା.୧୧.୦୭.୧୯୬୬ରେ ଅଧସୂଚୀତ କ୍ଷେତ୍ରପରିଷଦ ଭାବେ ମାନ୍ୟତା ଲାଭ କରିଥିଲା । ଆଜକୁ ୫୮ବର୍ଷ ହେବ ଯାହା ଉନ୍ନତି ହୋଇଛି ତାହାର ଏକ ବିସ୍ତୃତ ବିବରଣୀ ଏହି କର୍ମଶାଳାରେ ବାଙ୍କୀର କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ ପ୍ରକାଶ କରିଥିଲେ । ଆଗାମୀ ୨୦୫୧ମସିହା ପାଇଁ ବାଙ୍କୀ ଏନ୍.ଏ.ସିର ମାଷ୍ଟରପ୍ଲାନ ତିଆରି କରାଯାଇଥିଲା । ଏଥିରେ ସହରକୁ ସରସ ସୁନ୍ଦର କରିବା ପାଇଁ ପ୍ରସ୍ତାବମାନ ଗୃହିତ କରାଯାଇଥିଲା ।
୨୪ଘଣ୍ଟା ଲୋକମାନେ ପାନୀୟ ଜଳ ପାଇବା ସହ ବିଦ୍ୟାଳୟ, ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ପାଇବା ଓ ଗମନାଗମନର ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ବାଙ୍କୀ ଏନ୍.ଏ.ସିକୁ ଏକ ସୁନ୍ଦର, ସବୁଜ ଏବଂ ସୁ୍ସ୍ଥ ସହରରେ କିପରି ପରିଣତ କରାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏନ୍.ଏ.ଏସି ନଗର ପାଳ ଶ୍ରୀମତୀ ମାଣିକ ସାହୁ ଯୋଗଦାନ କରି ଏହାର ପରିସର ବୃଦ୍ଧି କରିବା ସହ ପାର୍କ, ପୁରୁଷ ଏବଂ ସ୍ତ୍ରୀ ଲୋକମାନେ ଚାଲିବା ପାଇଁ ପାଦଚଲା ରାସ୍ତା , ଉତ୍ତମ ଶିକ୍ଷାର କିପରି ସୁବିଧା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ।
୨୦୧୧ମସିହା ସୁଧା ବାଙ୍କୀ ଏନ୍.ଏ.ଏସିର ଜନସଂଖ୍ୟା ୧୮ହଜାର ୩୭୪ ଥିବା ବେଳେ ଏହା ଆଗାମୀ ୨୦୫୧ବେଳକୁ ୩୮ହଜାର ୩୪୭ ଜନ ସଂଖ୍ୟାରେ ପହଞ୍ôଚବ ବୋଲି ଆର.ଓ.ଭି ଆସୋସିଏସନ ହାଇଦ୍ରାବାଦର ଆସୋସିଏଟ୍ ଉପସଭାପତି ଲାମା ମହାନ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନଗରପାଳ ସନ୍ତୋଷ କୁମାର ରଣା ଯୋଗଦେଇ ବାଙ୍କୀ ସହର ମଧ୍ୟରେ ଥିବା ଉପକାରାଗାରାକୁ ଦୁର୍ଗାପୁର ମୌଜାର ମାଳତୀ ପାହାଡକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ବାଙ୍କୀ ସହରର ପରିସର ବୃଦ୍ଧି ହେବା ସହ ପାର୍କିଂ ବ୍ୟବସ୍ଥା , ବସ୍ଟର୍ମିନାଲର ସୁବିଧା ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
