ରାଣୀ ଶୁକଦେଈ ମହିଳା କଲେଜରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଇଣ୍ଟର୍ ପ୍ରେନୁୟରସିପ୍ ଉପରେ ସଚେତନତା କାର୍ଯ୍ୟକ୍ରମ

୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ବାଙ୍କୀ :-> ବାଙ୍କୀ ରାଣୀଶୁକଦେଈ ସ୍ନାତକ ମହିଳା ମହାବିଦ୍ୟାଳୟ ସଭାଗୃହ ଠାରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଏବଂ ବାଙ୍କୀ ଶିକ୍ଷାଭାରତୀ ଟ୍ରଷ୍ଟ ସହଯୋଗରେ ଇଣ୍ଟର ପ୍ରେନୁୟରସିପ୍ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରାଳୟର ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ରଥ ସଭାପତିତ୍ୱ କରି ମନ୍ତ୍ରାଳୟର ବିଭିନ୍ନ ପ୍ରକାରର ଉଦ୍ୟୋଗ ସଂପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ଆଜିର ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କିପରି ବିଭିନ୍ନ ପ୍ରକାରର ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିବ ସେ ସଂପର୍କରେ ଶ୍ରୀ ରଥ ପ୍ରକାଶ କରିଥିଲେ ।

ମୁଖ୍ୟଅତିଥି ଭାବେ ବାଙ୍କୀ ଓ ଡମପଡ଼ା ବ୍ଲକର ଶିଳ୍ପ ବିକାଶ ଅଧିକାରୀ ସତ୍ୟପ୍ରିୟ ସାହୁ ଯୋଗଦାନ କରି ବାଙ୍କୀରେ ଚାଲୁଥିବା ବିଭିନ୍ନ ଉଦ୍ୟୋଗ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଆଜିର ଯୁଗରେ ସରକାରୀ ଚାକିରି ପଛରେ ନଧାଇଁ ନିଜେ କିପରି ସ୍ୱାବଲମ୍ବୀ ହୋଇ ନିଜେ ରୋଜଗାରକ୍ଷମ ହୋଇପାରିବ ସେଥିପାଇଁ ମନ୍ତ୍ରାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଣୀ ଶୁକଦେଈ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋସ୍ôନାରାଣୀ ପଟ୍ଟନାୟକ ଯୋଗଦାନ କରି ଛାତ୍ରୀମାନେ କିପରି ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ନେଇ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷାଭାରତୀ ଟ୍ରଷ୍ଟର ସଂଯୋଜିକା ରୋଜାଲିନ୍ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version