ବାଲିଗୁଡ଼ା :-> ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗିତାରେ ବୁଧବାର ‘ରାଜ୍ୟସ୍ତରୀୟ ଭାଷା ସଂପାନ’ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭାଷା ସଂପାନର ଶୁଭାରମ୍ଭ କରିଥିଲେ l ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ କାର୍ତ୍ତିକ ଚନ୍ଦ୍ର ସି ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ସଂପାନର ଉଦଘାଟନ କରିବା ସଂଗେ ସଂଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫେସର୍ ପ୍ରତ୍ୟୁଷ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଂପାନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡ. ପ୍ରେମାନନ୍ଦ ମହାପାତ୍ର ମୁଖ୍ୟଅତିଥି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷାର ମୌଳିକ ଭିତ୍ତି, ଉନ୍ମେଷ ଓ ଉତ୍ତରଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l

