ବାର୍ଷିକ କୋଟି କୋଟି ଟଙ୍କା ପ୍ରବେଶ ଶୁଳ୍କ ଭାବରେ ପର୍ଯ୍ୟଟକ ମାନଙ୍କ ଠାରୁ ଆଦାୟ ହେଉଥିଲେ ମଧ୍ୟ ସାମାନ୍ୟ ମୌଳିକ ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରୁନାହିଁ ।
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ଵରେ ଥିବା ଏ ଏସ ଆଇର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣରେ ଗୁରୁତର ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ସଂସ୍ଥା ଉପରେ ରାଜ୍ୟ ସରକାରଙ୍କର କୌଣସି ଅଙ୍କୁଶ ନଥିବାରୁ ଦିନକୁ ଦିନ ମନମାନି କରୁଥିବା ଜଣାପଡିଛି । ବାର୍ଷିକ କୋଟି କୋଟି ଟଙ୍କା ପ୍ରବେଶ ଶୁଳ୍କ ଭାବରେ ପର୍ଯ୍ୟଟକ ମାନଙ୍କ ଠାରୁ ଆଦାୟ ହେଉଥିଲେ ମଧ୍ୟ ସାମାନ୍ୟ ମୌଳିକ ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରୁନାହିଁ ।
ଏପରିକି ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଉପକରଣ କି ଖରା ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସର୍ବଦା ମୁଖ୍ୟ ଫାଟକରେ ତାଲା ପଡ଼ି ରହୁଥିବାରେ ଯଦି କୌଣସି ପର୍ଯ୍ୟଟକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଛନ୍ତି, ତେବେ ଆମ୍ବୁଲାନ୍ସକୁ ମଧ୍ୟ ଗେଟ୍ ବାହାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳୁଛି । ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ପର୍ଯ୍ୟଟକଙ୍କ ଜୀବନ ଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ।
ଏପରି ଏକ ଅଭାବନୀୟ ଘଟଣା ବୁଧବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି । ରୂପା ସର୍ଦ୍ଦାର (୧୫ବର୍ଷ) ନାମକ ଜଣେ ବଙ୍ଗୀୟ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲୁଥିବା ବେଳେ କୌଣସି କାରଣକୁ ନେଇ ଅସୁସ୍ଥ ହେବା ସହ ଅଚେତ ହୋଇ ପଡ଼ିଯାଇଥିଲେ । ତାଙ୍କ ସହିତ ଆସିଥିବା ପରିବାର ଲୋକ ଓ ସ୍ଥାନୀୟ ଲୋକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ମୁଖ୍ୟ ଫାଟକରେ ତାଲା ପଡ଼ିବା ଯୋଗୁଁ ଆମ୍ବୁଲାନ୍ସଟି ଦୀର୍ଘ ସମୟ ଧରି ବାହାରେ ଅଟକି ରହିଥିଲା ।
ବହୁ ବିଳମ୍ବରେ ସୁରକ୍ଷା କର୍ମୀ ମାନେ ଆସି ତାଲା ଖୋଲିବାରେ ଆହତ ପର୍ଯ୍ୟଟକ ଜଣକୁ ମେଡିକାଲ ନିଆଯାଇଥିଲା । ଏ ଏସ ଆଇ ର ଏପରି ମନୋଭାବକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିଅଛନ୍ତି । କିଛି ଅଣଓଡ଼ିଆ କର୍ମଚାରୀଙ୍କ ମନମାନି ଏବଂ ଦାଦାଗିରି ଯୋଗୁଁ ସୂର୍ଯ୍ୟ ମନ୍ଦିରରେ ବିଭିନ୍ନ ସମୟରେ ବ୍ୟାପକ ଅନିୟମିତତା ହେଉଥିବା ସାଧାରଣରେ ଅନେକ ଗୁରୁତର ଅଭିଯୋଗ ହୋଇଆସୁଛି । ତୁରନ୍ତ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣରେ ଦୃଢ଼ ଦାବୀ ପ୍ରକାଶ କରାଯାଇଛି l
