ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା
ବାତ୍ୟାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଶୂନ୍ୟ କାଜୁଆଲିଟି ଦାବି ହାସ୍ୟାସ୍ପଦ
ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ସୁଦୃଢ଼ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା, ବୃହତ ବାତ୍ୟାକୁ ମୁକାବିଲା ପାଇଁ ସକ୍ଷମ
ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ପାଇଁ ବାତ୍ୟା ମୁକାବିଲାରେ ବିଫଳ
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି । ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା । ଅତିକମ୍ରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ । ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି ।
