ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ଉଦ୍ୟୋଗୀ ହେଲେ ପୁରସ୍କୃତ
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଶିଳ୍ପ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୫ବର୍ଷରେ ରାଜ୍ୟ ୫ଲକ୍ଷ କୋଟିର ପୁଞ୍ଜିନିବେଶ ଆକର୍ଷିତ କରିପାରିବ ଏବଂ ଆଗାମୀ ଦିନରେ ଶିଳ୍ପାୟନ ଦୃଷ୍ଟିକୋଣରୁ ରାଜ୍ୟ ଶୀର୍ଷ ୫ ସ୍ଥାନରେ ରହିବ ବୋଲି ଶ୍ରୀ ମାଝି କହିଛନ୍ତି । ଅଭିଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସ୍ୱର୍ଗତ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ଯେ, ଦେଶ ତାଙ୍କୁ ସର୍ବଦା ଶିଳ୍ପର ଜଣେ ମହାନ ପ୍ରତିନିଧି ବା ଚାଣକ୍ୟ ଭାବେ ମନେ ରଖିବ । ଅସଂଖ୍ୟ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସେ ଜଣେ ଆଦର୍ଶ ।

ଓଡ଼ିଶାରେ ଟାଇମ୍ସ ବିଜନେସ ଆୱାର୍ଡ ଭଳି ଏକ ସମ୍ମାନଜନକ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏହି ପୁରସ୍କାର ଓଡ଼ିଶାର ବ୍ୟବସାୟିକ ପ୍ରତିନିଧି ଏବଂ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରୁଛି । ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଟାଇମ୍ସ ଅଫ ଇଣ୍ଡିଆର ଚିଫ ବିଜନେସ ଅଫିସର ରୋହିତ ଧର, ଉତର ଓ ପୂର୍ବର ମୁଖ୍ୟ ଅଭିନବ ଗୁପ୍ତା, ଆଲାଏନ୍ସ ପ୍ରାଂଚାଇଜି ଡୁ ବାଙ୍ଗାଲୋରର ନିର୍ଦ୍ଦେଶକ ନିକୋଲାସ ଫାସିନୋ, ଓଏମଏସ ଡିଭିଜନ ମୁଖ୍ୟ ମନୋଜ ଦାସ, ଓଡ଼ିଶା ବାଇଟ୍ସର ଗ୍ରୁପ ଏଡିଟର ସନ୍ଦୀପ ମିଶ୍ରଙ୍କ ସମେତ ରାଜ୍ୟ ତଥା ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ ।