ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି , ପାସ ହାର ୭୪.୯୫%

ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ବୁଧବାର ମଧ୍ୟାହ୍ନରେ ଓଡ଼ିଶା ମାଧ୍ୟମିକ ଉଚ୍ଚଶିକ୍ଷା ପରିଷଦ ଭୁବନେଶ୍ୱର, ଦ୍ୱାରା ପରିଚାଳିତ ବାଣିଜ୍ୟ ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୨୫ ହଜାର ୭୭୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ହଜାର ୩୧୮ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସହାର ଶତକଡା ୭୪.୯୫ ପ୍ରତିଶତ ରହିଛି । ୧୬ ହଜାର ୬୪୮ ଜଣ ଛାତ୍ରଙ୍କ ମଧ୍ୟରୁ ୧୨ ହଜାର ୨୧୫ ଜଣ ପାସ୍‌ ହୋଇଥିବାବେଳେ ୯ ହଜାର ୧୨୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୭ ହଜାର ୧୦୩ ଜଣ ପାସ୍‌ କରିଛନ୍ତି । ଛାତ୍ରଙ୍କ ପାସ୍‌ ହାର ଶତକଡା ୭୩.୩୭ ହୋଇଥିବାବେଳେ ଛାତ୍ରୀମାନଙ୍କ ପାସ୍‌ ହାର ଶତକଡା ୭୭.୮ ରହିଛି । ପ୍ରଥମ ଶ୍ରେଣୀରେ ପାସ୍‌ ହାର ଶତକଡା ୩୪.୨ ହୋଇଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ପାସ୍‌ ହାର ଶତକଡା ୨୨ ଏବଂ ତୃତୀୟ ଶ୍ରେଣୀ ପାସ୍‌ ହାର ଶତକଡା ୪୩.୩ ବିଦ୍ୟାର୍ଥୀ ପାସ୍‌ କରିଛନ୍ତି ।

ପ୍ରକାଶ ଥାଉକି ନୟାଗଡ ଜିଲ୍ଲାର ପାସ୍‌ ହାର ସର୍ବାଧିକ (୮୮.୭୦%) ରହିଥିବା ବେଳେ ଦେଓଗଡ ଜିଲ୍ଲାର ପାସ୍‌ହାର ସର୍ବନିମ୍ନ (୩୪.୧୭%) ରହିଛି । ରାଜ୍ୟର ୪୦ ଜଣ ଛାତ୍ରଛାତ୍ରୀ ଶତକଡା ୯୦ ରୁ ଅଧିକ ନମ୍ବର ରଖିଛନ୍ତି । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଭୂପୀନ୍ଦର ସିଂ ପୁନିଆ, ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ବେହେରା, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ବିଜୟ କୁମାର ସାହୁ, ପରିଷଦର ଉପାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ଶତ ପଥୀ, ପରିଷଦର ସଚିବ ଶ୍ରୀମତୀ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version