ବିଜେପିରେ ଯୋଗଦାନ କଲେ ବିଜେଡି ନେତା ଭବାନୀ ଶଙ୍କର ନିଆଲ

୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି  :->  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ନିଆଲ। ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ କାର୍ଯ୍ୟରତ ନିଆଲ ଗତ ସପ୍ତାହେ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳ ଛାଡିବା ପରେ ସେ ବିଜେପିର ଜାତୀୟ ଓ ରାଜ୍ୟସ୍ତରୀୟ ନେତାଙ୍କ ସହିତ ବରାବର ଯୋଗାଯୋଗରେ ରହିଥିଲେ। ଶେଷରେ ସେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି।

ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିବା ବେଳେ ଶ୍ରୀ ନିଆଲଙ୍କ ଯୋଗଦାନ ଦ୍ୱାରା ରାଜ୍ୟରେ ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବା ଲକ୍ଷ ଲକ୍ଷ ଅନୁସୂଚିତ ଜାତି ବର୍ଗ ଉପକୃତ ହେବେ ବୋଲି କହିଛନ୍ତି। ଶ୍ରୀ ନିଆଲଙ୍କୁ ଦଳରେ ସାମିଲ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅନୁମୋଦନ କରିଥିଲେ। ଶ୍ରୀ ନିଆଲଙ୍କ ସହିତ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଓ ସଂଗଠକ ପ୍ରବୀଣ କୁମାର ସିପ୍କା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ତାଙ୍କୁ ମଧ୍ୟ ଦଳ ସଭାପତି ଶ୍ରୀ ସାମଲ ସ୍ୱାଗତ କରିଥିଲେ। ସୂଚନାଯୋଗ୍ୟ ଶ୍ରୀ ନିଆଲ ଗତ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ଦଳରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିବା ସହିତ ଦଳର ଅନୁସୂଚିତ ଜାତି ରାଜ୍ୟ ଉପ ସଭାପତି ଭାବେ କାର୍ଯ୍ୟ କରିଥିଲେ। ବିଜେପିରେ ଯୋଗଦେବା ପରେ ଶ୍ରୀ ନିଆଲ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୨୧ ପ୍ରତିଶତ ତଥା ରାଜ୍ୟର ବିଭିନ୍ନ ବର୍ଗ ସମେତ ଅନୁସୂଚିତ ଜାତିଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ସ୍ବପ୍ନକୁ ସାକାର କରିବା ତାଙ୍କ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

Exit mobile version