ଯେଉଁଠି ହିନ୍ଦୁ ମୁସଲମାନ ମିଶି ଦୁର୍ଗା ପୂଜା ଏବଂ ଭସାଣୀ ଉତ୍ସବ ପାଳନ କରନ୍ତି

୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନିଆଳି  :-> ଯେଉଁଠି ହିନ୍ଦୁ ମୁସଲମାନ ମିଳି ମିଶି ଭାଇ ଭାଇରେ ଶାରଦୀୟ ଦୁର୍ଗାପୂଜା ଏବଂ ଭସାଣୀ ଉତ୍ସବ ମହା ଆନନ୍ଦରେ ପାଳନ କରନ୍ତି । ଏହା ଏକ ନିଆରା ପରମ୍ପରାର ଭାଇଚାର ସୃଷ୍ଟି କରିଥିବାର ଏବେ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳିରେ । ସମଗ୍ର ରାଜ୍ୟରେ କେବଳ ହିନ୍ଦୁମାନେ ଶାରଦୀୟ ଦୁର୍ଗାପୂଜା ପାଳନ କରୁଥିବାବେଳେ କିନ୍ତୁ ଏବେ କଟକ ଜିଲ୍ଲା ଅନ୍ତର୍ଗତ ନିଆଳିର ବଙ୍ଗାଳିସାହି ଏବଂ ନିଆଳି ହାଟ ସାହିରେ ଅନୁଷ୍ଠିତ ଦୁର୍ଗା ପୂଜା ଏବଂ ହରପାର୍ବତୀ ପୂଜାରେ ହିନ୍ଦୁ ମୁସଲମାନ ମିଳିମିଶି ପୂଜା କରିଥିଲେ।

ଏବେ ଗତ କାଲି ଅନୁଷ୍ଠିତ ଭସାଣୀ ଉତ୍ସବ ଅବସରରେ ବଙ୍ଗାଳି ସାହିର ଦୁର୍ଗାମୂର୍ତ୍ତୀ ସହିତ ହାଟସାହିର ହରପାର୍ବତୀ ମଧ୍ୟରେ ହରିହର ଭେଟ ହୋଇଥିଲା , ପରେ ଏକ ସୁସଜ୍ଜିତ ବିମାନରେ ନାଚ, ଗୀତ, ବାଜା, ବାଣର ରୋଷଣୀରେ ଦୁର୍ଗା ଏବଂ ହରପାର୍ବତୀକୁ ସାହି ବସ୍ତିରେ ବୁଲାଯାଇ ପ୍ରାଚୀ ନଦୀର ଦେବୀ ଘାଟ ଠାରେ ମୃଣୟ ମୂର୍ତ୍ତୀ ଗୁଡିକୁ ବିସର୍ଜନ କରାଯାଇଥିଲା ।

ଏହି ପୂଜା ମଣ୍ଡପରେ ମା’ଦୁର୍ଗା ଏବଂ ହରପାର୍ବତୀଙ୍କୁ ଦର୍ଶନ କରିବା ପାଇଁ ତିନି ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଥିଲା । ନିଆଳି ଅଞ୍ଚଳର ଏହି ଶାରଦୀୟ ଦୁର୍ଗାପୂଜା ଉତ୍ସଵରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ନିଆଳି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସେହି ପରି ନିଆଳି ସମେତ ପହଙ୍ଗା, ଗୋବିନ୍ଦପୁର, ବିଳାସୁଣି,

ଅଡସପୁର, କଣ୍ଟାପଡ଼ା, ବଡଝରିଲୋ, ଏବଂ ବନମାଳୀପୁର ନୂଆସାହି, ବାଲିପାଟଣା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଏବଂ ଭସାଣୀ ଉତ୍ସବ ମହାସମାରୋହରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶାରଦୀୟ ପୂଜା ଲାଗି ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Exit mobile version