୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରି ଆସୁଥିବା ବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ ଦେଖିବାକୁ ମିଳିଛି। ପ୍ରକାଶ ଯେ, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦଶହରା ପର୍ବ। ଏଥିପାଇଁ ବ୍ରିଟିଶ ଅମଳରୁ ରହିଥିବା ପରମ୍ପରାକୁ ଗ୍ରୀନବାଡ଼ି ବାସିନ୍ଦା ପାଳନ କରି ଆସୁଥିବା କହିଛନ୍ତି। ଏହି ପର୍ବର ଏକ ସପ୍ତାହ ପୂର୍ବରୁ ଥାନା ପକ୍ଷରୁ ଗ୍ରୀନବାଡ଼ି ଗ୍ରାମବାସୀଙ୍କୁ ଏହି ଦଶହରା ପୂଜାରେ ଯୋଗଦାନ କରିବାକୁ ସ୍ବତନ୍ତ୍ର ନିମନ୍ତ୍ରଣପତ୍ର ଦିଆଯାଇଥାଏ। ସେହି ନିମନ୍ତ୍ରଣ ପାଇବା ପରେ ଦଶହରା ଦିନ ଗ୍ରୀନବାଡ଼ି ବାସି ନିଜ ଠାକୁରାଣୀ, ଗ୍ରାମ ଦେବତାଙ୍କ ନିକଟରେ ଅଞ୍ଚଳର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିବା ସହ ଗାଁର ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ସବୁ ବିରାଟ ଶୋଭାଯାତ୍ରାରେ ବାଦ୍ୟ, ଶଙ୍ଖ, ମହୁରୀ ବଜାଇ ବାଣ ଫୁଟାଇ ଥାନାରେ ପହଞ୍ଚିଥାନ୍ତି ।
