୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କାଲିଫର୍ଣ୍ଣିଆ :-> ଯୁକ୍ତରାଷ୍ଟ୍ର ଆମେରିକାଠାରେ ନିକଟରେ ପଞ୍ଚମ ଓଡ଼ିଶା ଆର୍ଟିଫିସିଆଲ଼ ଇଣ୍ଟେଲିଜେନ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ଢଙ୍ଗରେ ଆୟୋଜିତ ଏହି ମହାସମାବେଶରେ ବିଶ୍ୱର କୋଣ ଅନୁକୋଣର ଶତାଧିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିଶେଷଜ୍ଞ, ବୈଜ୍ଞାନିକ, ପରାମର୍ଶଦାତା, ଗବେଷକ, ଉଦ୍ଭାବକ ଏବଂ ଏ.ଆଇ ସହିତ ସଂଶ୍ଲିଷ୍ଟ ପେଶାଦାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖାଯାଇଥିଲା। କାଲିଫର୍ଣ୍ଣିଆସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଓଡ଼ିଶା ଏ. ଆଇ ଆନୁକୂଲ୍ୟରେ ଆହୂତ ଦୀର୍ଘ ୩୨ ଘଣ୍ଟାର ଏହି ଅଧିବେଶନ ବ୍ୟାପକ ଭାବରେ ସଫଳ ହୋଇଥିବା ଜଣାଯାଇଛି। ବିଶେଷକରି ଏହି ଆନ୍ତର୍ଜାତିକ ସମ୍ମିଳନୀର ବାସ୍ତବ ସ୍ଥଳ ଯଥା ; କାଲିଫର୍ଣ୍ଣିଆ , ଷ୍ଟକହୋମ, ଲଣ୍ଡନ, ଆବୁଧାବି, ଟୋକିଓ, ଜୋହାନ୍ସବର୍ଗ, ବେଙ୍ଗାଲୁରୁ, ଚେନ୍ନାଇ, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଆଦିଠାରେ ଯୁବ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଉତ୍କଣ୍ଠା ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।

