ଡ଼ଙ୍ଗରପଡା ଦୁର୍ଗାପୂଜାରେ ଆନ୍ତ-ଜିଲ୍ଲା ସଂକୀର୍ତନ ସମ୍ମିଳନୀ

୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :->  ଯୁଯୋମୁରା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଗ୍ରାମାଞ୍ଚଳ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆନ୍ତ-ଜିଲ୍ଲା ସଂକୀର୍ତନ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୧୧ଟାରେ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ରାଧାକାନ୍ତ ବିଶ୍ୱାଳ ଏହାକୁ ଉଦଘାଟନ କରିଥିବାବେଳେ ସଂକୀର୍ତନ ପରିଷଦ ସମ୍ବଲପୁର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ସାହୁ, ବରଗଡ ସଭାପତି ପ୍ରମୋଦ କୁମାର ଦାଶ ଡ଼ଙ୍ଗରପଡା ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡା, ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ପ୍ରାୟ ୭୦ ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ସଂକୀର୍ତନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ କମିଟି ଉପଦେଷ୍ଟା ପ୍ରାଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ରାଧାକାନ୍ତ ବିଶ୍ୱାଳ, ବଂଶୀଧର ବେହେରା ଓ କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ଶ୍ରୀମତ ପଧାନଙ୍କ ମୁଖ୍ୟ ଆୟୋଜନରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଅଶ୍ୱିନୀ କୁମାର ପ୍ରଧାନ, ଗୋକୁଳାନନ୍ଦ ସାହୁ, ଜଗଦୀଶ ମାଝୀ ପୀତବାସ ମାଝୀ ଏଥିରେ ସହଯୋଗ କରୁଛନ୍ତି ।

ଉଦଯାପନୀ ଉତ୍ସବରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ସଂସ୍କାର ଓ ଆଧ୍ୟାତ୍ମିକ ପ୍ରତିକୂଳ ପରିବେଶ ସୃଷ୍ଟି କରିବାରେ ସଂକୀର୍ତନର ମହାତ୍ମା ଓ ଗାହକ, ବାହାକଙ୍କ ଯୋଗଦାନକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଅଭିହିତ କରିଥିଲେ । ପ୍ରାଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଇଂ. ସଂଜୀବ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏଥିରେ ଯୋଗ ଦେଇ ନିଜର କଲା ନୈପୁଣ୍ୟ ପ୍ରଦର୍ଶନ କରିଥିବା ଗାହକ ଓ ବାହାକ କଳାକାର ମାନଙ୍କୁ ପ୍ରଶଂସା ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

ଏହି ଉଦଯାପନୀ ସଭାରେ ଡ଼ଙ୍ଗରପଡା ସରପଞ୍ଚଙ୍କ ସମେତ କୁକୁଡ଼ାପାଲି ସରପଞ୍ଚ ଗୀତାଞ୍ଜଳି ଦେହୁରୀ,ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ବିଜେଡି ରାଜ୍ୟ ଯୁବ ସମ୍ପାଦକ ହୀରାଲାଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ଶାରଦୀୟ ଦୁର୍ଗାପୂଜାରେ ପଣ୍ଡିତ ଶାଶ୍ୱତ ବଡ଼ପଣ୍ଡା ପୌରହିତ୍ୟ କରୁଥିବା ବେଳେ ସସ୍ତ୍ରୀକ ସ୍ଥାନୀୟ ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡା ଓ ଇନ୍ଦିରା ବଡ଼ପଣ୍ଡା କର୍ତ୍ତା ଦାୟିତ୍ୱ ସମ୍ପାଦନ କରୁଛନ୍ତି ।

Exit mobile version