୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଅନ୍ତେବାସୀଙ୍କ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ଓ ସୁଦୃଢ କରିବା ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏହି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ବାଣିଜ୍ୟ ଓ ପରିବହନ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ,
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଏବଂ ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଅନ୍ତେବାସୀଙ୍କ ପାଇଁ ଉପଲବ୍ଧ ସୁବିଧା, ସେମାନଙ୍କର ସମସ୍ୟା ଓ ତାହାର ସମାଧାନ ଏବଂ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ରହିଥିବା ବ୍ୟବସ୍ଥା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଏହି ବିଭାଗ ଅଧିନରେ ୫୮୪୧ ଛାତ୍ରାବାସ ଏବଂ ଛାତ୍ରୀ ନିବାସ ରହିଥିବା ବେଳେ ଏଥିରେ ପ୍ରାୟ ୫ ଲକ୍ଷ ୪୦ ହଜାର ଅନ୍ତେବାସୀ ରହୁଛନ୍ତି ।
