୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଜନସାଧାରଣଙ୍କ ସୁରକ୍ଷିତ ଗମନାଗମନର ସୁବିଧା ଏବଂ ଯାନବାହାନର ସଠିକ ଚଳାଚଳ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ମୟୂରଭଞ୍ଜ ଦେଇ ଯାଇଥିବା ଜାତୀୟ ରାଜପଥ-୪୯ ରାସ୍ତାକୁ ପ୍ରଶସ୍ତ କରୁଛି। ଏହି ପରିପ୍ରେକ୍ଷୀରେ, ନିୟମିତ ଟ୍ରାଫିକ୍ ଜାମ ଯୋଗୁଁ ରାସ୍ତାରେ ଯାନବାହନ ପ୍ରତିଦିନ ୫ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହୁଛି ଏବଂ ଏହି ଭାରି ଟ୍ରାଫିକ୍ ଜାମ୍ ଯୋଗୁଁ ଆମ୍ବୁଲାନ୍ସ, ସ୍କୁଲ ଏବଂ କଲେଜ ବସ୍, ଦୈନିକ ଯାତ୍ରୀ ମାନଙ୍କର ଗମନାଗମନରେ ମଧ୍ୟ ବହୁ ବାଧାପ୍ରାପ୍ତ ହୁଏ। ଯେହେତୁ ବାମନଘାଟି ଓ ପଂଚପୀଢ଼ ଉପଖଣ୍ଡ ସହିତ ସଂଯୋଗ କରୁଥିବା ଏହା ହେଉଛି ଏକମାତ୍ର କ୍ଷୁଦ୍ର ମାର୍ଗ ଯାହା ବ୍ୟବସାୟ / ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏଣୁ ବର୍ତ୍ତମାନ ରାଜପଥରେ ଯାତାୟାତ ପାଇଁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ଯାନବାହାନ ଚଳାଚଳ ଏବଂ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟକୁ ସୁରୁଖୁରୁରେ କରାଇବା ପାଇଁ ବିହିତ ପଦକ୍ଷେପ ନେଇଛି।
ଏଣୁ ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଜନସାଧାରଣଙ୍କ ସୁରକ୍ଷିତ ଯାତାୟତ ଏବଂ ରାସ୍ତାର ପ୍ରଶସ୍ତିକରଣ ଦୁଇଟି କାର୍ଯ୍ୟ ସଠିକ ଭାବରେ କିଭଳି ହୋଇ ପାରିବ ସେ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ନିୟମିତ ବ୍ୟବଧାନରେ ଯାତାୟତକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନର କର୍ମଚାରୀ ଏବଂ NHAI ର କର୍ମଚାରୀମାନେ ରାଜାବସା ଠାରେ ସମ୍ପୂର୍ଣ୍ଣ ନିୟୋଜିତ ହେବେ ଏବଂ ଟ୍ରକ ଚାଳକମାନଙ୍କୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ଗାଡି ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦେବା ପାଇଁ ବିଶୋଇ ଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯିବ।
