ଓଡ଼ିଶା ଚାମ୍ବର ଅଫ କମର୍ସର ଆଲୋଚନା ଚକ୍ର ଏମଏସଏମଇ କ୍ଲିନିକ୍‌ ମାଧ୍ୟମରେ ସୃଷ୍ଠି ହେବେ ସଫଳ ଉଦ୍ୟୋଗୀ

୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :->  ଓଡ଼ିଶା ଚାମ୍ବର ଅଫ କମର୍ସ ତରଫରୁ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନଠାରେ ‘ବିକଶିତ ଓଡ଼ିଶା ବିକଶିତ ଭାରତ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରିଚ୍ ଲାଇଭସ୍ ତଥା ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ତାପସ ରଞ୍ଜନ ପଣ୍ଡାଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳାନନ୍ଦ ପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ଉଦ୍ୟୋଗୀ ସୃଷ୍ଠି ହେବାକୁ ମାନସିକତାର ଅଭାବ ନାହିଁ କିନ୍ତୁ ସରକାରୀ ସ୍ତରରେ ନୂତନ ଉଦ୍ୟୋଗୀ ମାନଙ୍କୁ ଯେଭଳି ସହଯୋଗ ମିଳିବ କଥା ତାହା ମିଳୁ ନାହିଁ ।

ବିଶେଷ କରି ସବସିଡି ପାଇବାକୁ ଉଦ୍ୟୋଗୀ ମାନଙ୍କୁ ନିଜ ସଂସ୍ଥା ଛାଡି ବାରମ୍ବାର ସରକାରୀ କାର୍ଯ୍ୟାଳୟ ଦୌଡ଼ିବାକୁ ପଡୁଛି । ଫଳରେ ସେମାନେ ବ୍ୟବସାୟରେ କ୍ଷତି ସହିବା ସହ ହତୋତ୍ସାହ ହୋଇ ପଡୁଛନ୍ତି । ସରକାରୀସ୍ତରରେ ଏସବୁକୁ ଅନଲାଇନ୍ ଜରିଆରେ ସୁଗମ କରାଗଲେ ଓଡ଼ିଶାରେ ଉଦ୍ୟୋଗୀଙ୍କର ଅଭାବ ରହିବ ନାହିଁ । ଏହା ସହ ଅର୍ସେଲ ମିତଲ ଗ୍ରୁପର କର୍ପୋରେଟ ବ୍ୟାପାର ମୁଖ୍ୟ ସୁପର୍ଣ୍ଣା ନନ୍ଦଙ୍କ ଏମଏସଏମଇ କ୍ଲିନିକ୍ ପ୍ରସ୍ତାବ ସଫଳ ଉଦ୍ୟୋଗୀ ସୃଷ୍ଟି କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ । ଏହି କ୍ଲିନିକ୍ ଜରିଆରେ ଉଦ୍ୟୋଗୀ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

 

ଅନ୍ୟତମ ଅତିଥି ଭାବେ ଫିକି ଓଡ଼ିଶା ଅଧ୍ୟକ୍ଷ ପଙ୍କଜ ସତିଜା, ଫିଓ ଓଡ଼ିଶା ଚାପ୍ଟର ମୁଖ୍ୟ କମଳାକାନ୍ତ ସାହୁ, ଡିଆଇସି ଜେନେରାଲ ମ୍ୟାନେଜର ଚିଦାନନ୍ଦ ମିଶ୍ର ନିଜ ନିଜର ଅନୁଭୁତି ଓ ଅଭିଜ୍ଞତା ବିଷୟରେ ଉପସ୍ଥିତ ଉଦ୍ୟୋଗୀ ମାନଙ୍କୁ କହିଥିଲେ । ଫିକି ଓଡ଼ିଶା ଅଧ୍ୟକ୍ଷ ପଙ୍କଜ ସତିଜା କହିଛନ୍ତି ସଫଳ ଉଦ୍ୟୋଗୀ ହେବାକୁ ହେଲେ ପ୍ରଥମେ ଦୃଢ଼ ସଂକଳ୍ପବାନ ହେବାକୁ ପଡିବ । ସେହିପରି ଇଣ୍ଡିଆନ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ସଚ୍ଚିକାନ୍ତ ଦାସ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ବନ୍ଧରେ ଅନେକ ସଫଳ ଉଦ୍ୟୋଗୀଙ୍କ ଉଦାହରଣ ଦେଇ ବୁଝାଇଥିଲେ । ରପ୍ତାନି କ୍ଷେତ୍ରରେ ସଫଳ ହେବା ପାଇଁ ବିଭିନ୍ନ ତଥ୍ୟ ଆଧାରିତ ଉଦାହରଣମାନ ଦେଇ ଫିଓ ଓଡ଼ିଶା ଚାପ୍ଟର ମୁଖ୍ୟ କମଳାକାନ୍ତ ସାହୁ ନିଜର ବକ୍ତବ୍ୟ ରଖିଥିଲେ ।

ସେ କହିଛନ୍ତି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ କିଛି ନା କିଛି ଦ୍ରବ୍ୟ ରପ୍ତାନି ହେବାର ସମ୍ଭାବନା ରହିଛି। ଶେଷରେ ଡିଆଇସି ଜେନେରାଲ ମ୍ୟାନେଜର ଚିଦାନନ୍ଦ ମିଶ୍ର ସରକାରୀ ସ୍ତରରେ ଉଦ୍ୟୋଗୀ ମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରିଥିଲେ । ଏହାସହ ସଫଳ ଉଦ୍ୟୋଗୀ ହେବାକୁ ଦୃଢ଼ ମାନସିକତାର ଆବଶ୍ୟକତାଥିବା କହିଛନ୍ତି । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ପାଇଁ ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବା ରିଚ୍ ଲାଇଭସ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ତାପସ ରଂଜନ ପଣ୍ଡାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଆଲୋଚନା ଚକ୍ରରେ ଶତାଧିକ ଉଦ୍ୟୋଗୀ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ୩ ଜଣ ସଫଳ ଓଡ଼ିଆ ଉଦ୍ୟୋଗୀଙ୍କୁ ଓଡ଼ିଶା ଅଲ୍ଟିମେଟ କଂଟ୍ରିବ୍ୟୁଟର ଆୱାର୍ଡ-୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନିର୍ମାଣ କ୍ଷେତ୍ରରେ ଦୈତାରି ସତ୍ୟଭାମା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନିହାର ରଞ୍ଜନ ନାୟକ, ଓଏଏସଆଇଏସ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅନିମେସ ଫୁଡ୍ ପ୍ରଡକ୍ଟ ମ୍ୟାନେଜିଂ ପାର୍ଟନର ଅଞ୍ଜନ କୁମାର ମୁଦୁଲିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡ. ତାପସ ରଂଜନ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version