ପାର୍ବଣ ଆରମ୍ଭରୁ ଖୋଲା ଚ୍ୟାଲେଞ୍ଜ : ଦୋକାନ ଭେଣ୍ଟିଲିଟର ଭାଙ୍ଗି କଳା କନା ବୁଲାଇଲେ – ଲୁଟେରା ଗ୍ୟାଙ୍ଗ

୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ପାର୍ବଣ ଋତୁ ଆରମ୍ଭରୁ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇ ଆତଙ୍କ ସୃଷ୍ଟି କରିଛନ୍ତି । ବୁଧବାର ବିଳମ୍ୱିତ ରାତିରେ ହିଞ୍ଜିଳି ଥାନା ଠାରୁ କିଛି ଦୂରରେ ତଥା ତାରାତାରିଣୀ ମୁଖ୍ୟ ରାସ୍ତାର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖ ଏକ ତେଜରାତି ଦୋକାନରୁ ଲୁଟ୍ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ବଡ଼ ସାହି ବାସିନ୍ଦା ପ୍ରତାପ ମୁନି ତରିତାରିଣୀ ମୁଖ୍ୟ ରାସ୍ତାରେ ଏକ ତେଜରାତି ଦୋକାନ କରିଛନ୍ତି। ପ୍ରତିଦିନ ପରି ସେ ବୁଧବାର ରାତ୍ର ପ୍ରାୟ ସାଢେ ୯ଟାରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଗୁରୁବାର ସକାଳେ ଦୋକାନ ଖୋଲିବା ପରେ ସେ ଦୋକାନ ପଛପଟର ସିମେଣ୍ଟ ଭେଣ୍ଟିଲେଟର ଭଙ୍ଗା ଯାଇଥିବା ଦେଖିଥିଲେ।

ପରେ ଦୋକାନ କ୍ୟାସବକ୍ସରୁ ପ୍ରାୟ ୪୦ ହଜାର ଟଙ୍କା ଓ କିଛି ଖାଦ୍ୟ ସାମଗ୍ରୀ ଜିନିଷ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣା ନେଇ ଦୋକାନୀ ପ୍ରତାପ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଦୁବୃର୍ତ୍ତ ମାନେ ଦୋକାନ ପ୍ବାର୍ଶ୍ବ ଏକ ଲୁହା ଗେଟ୍ ତାଲା ଭାଙ୍ଗି ଦୋକାନ ପଛପଟ ସିମେଣ୍ଟ କାନ୍ଥକୁ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ପରେ ସିମେଣ୍ଟ ଭେଣ୍ଟିଲେଟର ଭାଙ୍ଗି ଦୋକାନ ଭିତରେ ପଶି ଲୁଟ୍ କରିଥିବା ଦୋକାନରେ ସଂଯୋଗ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ପୁଲିସ ଦୋକାନ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ାଇଛି।

କିଛି ଦିନର ବ୍ୟବଧାନ ପରେ ଏବଂ ପାର୍ବଣ ଋତୁ ଆରମ୍ଭରୁ ହିଞ୍ଜିଳି ଥାନା ଇଲାକାରେ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିବା ଲୁଟ ଘଟଣାରୁ ଜଣାପଡିଛି। ହିଞ୍ଜିଳି ଥାନା ଇଲାକାରେ ପ୍ରତ୍ୟହ ଛୋଟବଡ ଲୁଟ୍ ହେଉଥିବା ବେଳେ ବୁଧବାର ବିଳମ୍ୱିତ ରାତିରେ ଚୋରୀ ଘଟଣା ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଭୟ ଓ ଆତଙ୍କ ଭିତରେ କାଳାତିପାତ କରୁଛନ୍ତି। ଗତ କିଛି ମାସ ଧରି ହିଞ୍ଜିଳିକାଟୁ ପୈାରାଞ୍ଚଳର ଶୌଚାଳୟ,ସର୍ବ ସାଧାରଣ ପରିସ୍ରାଗାର ସମେତ ସ୍ଥାନୀୟ ଥାନା ଇଲାକାର ବିଭିନ୍ନ ସ୍ଥାନରୁ ପାଣିମୋଟର, ସାଇକେଲ,

 

ଘରକରଣା ସାମଗ୍ରୀ, ଗୃହ ନିର୍ମାଣ ସାମଗ୍ରୀ ଲୁଟ୍ ହେଉଥିବା ନିତିଦିନିଆ ଘଟଣା ପାଲଟିଛି। ଛୋଟମୋଟ ଚୋରୀ ଘଟଣାକୁ ନେଇ ପୀଡ଼ିତ ମାନେ ଥାନାର ଦ୍ବାରସ୍ଥ ହୋଇ ଅକାରଣରେ ସମୟ ଅପଚୟ କରିବାକୁ ଉଚିତ୍ ମଣୁନଥିବା କହିଛନ୍ତି। ସ୍ଥାନୀୟ ଥାନା ଇଲାକାରେ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରାଯିବା ଜରୁରୀ ହୋଇଛି। ଏହା ନ ହେଲେ ଆଗାମୀ ଦିନରେ ବଡ ଧରଣର ଲୁଟ୍ ଘଟଣା ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।‌ ଏ ଦିଗରେ ପୁଲିସ ଅଧିକ ତତ୍ପରତା ପ୍ରକାଶ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ସକାଶେ ସାଧାରଣରେ ଦାବୀ ହୋଇଛି।

Exit mobile version