୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ। ଏଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ୧୧ ଗୋଟି ୱାର୍ଡ଼କୁ ନେଇ ପଞ୍ଚାୟତ ଗଠିତ ହୋଇଥିବାବେଳେ ଏହାର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଅଧିକ। ଏକାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସଡ଼କ ସଂଯୋଗ ହୋଇ ନଥିବାବେଳେ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଝିଞ୍ଜିରିଗୁଡ଼ା ଠାରୁ କାଟିଙ୍ଗିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଗୋବରକୁଟି ଛକରୁ ପ୍ରାୟ ଦୁଇ କିମି ଭିତରକୁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିବାବେଳେ ସେହି ଦୁଇ କିମି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି।
ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇ ବର୍ଷା ହେଲେ ପାଣି କାଦୁଅରେ ପଚ ପଚ ହେଉଛି। ସେହି ରାସ୍ତାରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବର୍ଷା ହେଲେ କାଦୁଅ ଭରା ରାସ୍ତା ଦେଇ ଗର୍ଭବତୀ ଓ ରୋଗୀମାନ ଙ୍କୁ ରାତି ଅଧରେ ଜରୁରୀକାଳୀନ ସେବା ପାଇଁ ସମ୍ପର୍କୀୟମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଦୈନନ୍ଦିନ ଏହି ରାସ୍ତା ଦେଇ ସ୍କୁଲ କଲେଜ ପିଲା ଯିବା ଆସିବା କରନ୍ତି। ରାସ୍ତା ମଝିରେ ଖାଲ ଢିପ ଥିବା ବେଳେ ଅଧିକାଂଶ ଜାଗାରେ ପିଚୁ ସବୁ ବାହାରି କାଦୁଅ ସର୍ ସର୍ ହୋଇ ରହିଛି।
