ବାଲୁଗାଁ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପାଇଁ ବିଜ୍ଞପ୍ତି ଜାରି

୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ  :-> ବାଲୁଗାଁ ବଜାର ଦେଇ ଯାଇଥିବା ପୁରାତନ ୫ ନମ୍ବର ଜାତୀୟ ରାଜପଥର ୪ ଲେନ ବିଶିଷ୍ଟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାସ୍ତାପାର୍ଶ୍ୱରେ ଥିବା ସରକାରୀ ଜାଗାରେ ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲ କାରୀଙ୍କୁ ଉକ୍ତ ଜାଗାରୁ ଉଚ୍ଛେଦ ନିମନ୍ତେ ଚିଲିକା ତହସିଲ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି l

ପ୍ରକାଶ ଯେ, ବାଲୁଗାଁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ ମାଛ ବ୍ୟବସାୟ କେନ୍ଦ୍ର ହୋଇଥିବାରୁ ଏଠାକୁ ଦୈନନ୍ଦିନ ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ l ଫଳରେ ସଦାସର୍ବଦା ଏଠାରେ ଟ୍ରାଫିକ ସମସ୍ୟା ଉପୁଜି ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି l

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମାମୁଁ ଭଣଜା ପାହାଡ଼ ସ୍ଥିତ ଦମକଳ ଅଫିସ ଠାରୁ ବସ୍ ଷ୍ଟାଣ୍ଡ ୪ କି ମି ଦୂରତା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହେବ l ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଖୋର୍ଦ୍ଧାର କାର୍ଯ୍ୟାଦେଶ ରହିଅଛି l ତେବେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରିଥିବା ଯୋଗୁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଛି l

କିଛି ଦିନ ପୂର୍ବରୁ ଚିଲିକା ତହସିଲ ପକ୍ଷରୁ ମାପ ଚୁପ କାର୍ଯ୍ୟ ଶେଷ ହୋଇ ୯୭ ଜଣ ଜବରଦଖଲକାରୀଙ୍କୁ ଚି଼ହ୍ନଟ କରାଯାଇଛି l ତେଣୁ ଉକ୍ତ ସ୍ଥାନକୁ ସମ୍ପୃକ୍ତ ଜବରଦଖଲକାରୀ ଆସନ୍ତା ୨୬ ତାରିଖ ମଧ୍ୟରେ ଅବରୋଧ ମୁକ୍ତ କରିବା ପାଇଁ ତହସିଲ ପକ୍ଷରୁ ଆହ୍ୱାନ ଦିଆଯାଉଛି l ଅନ୍ୟଥା ୨୭ ତାରିଖ ପୂର୍ବାହ୍ନ ୧୦ ଘଟିକାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି l

Exit mobile version