ଥାନାରେ ମହିଳାଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡିଶାକୁ ଲଜ୍ଜିତ କରିଛି
ସରକାର ଘଟଣାକୁ ଚପାଇ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି
ହରତାଳ ସମୟରେ ଜରୁରୀକାଳୀନ ସେବା ଜାରି ରହିବ

୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁୁବନେଶ୍ୱର :-> ବହୁ ଚର୍ଚ୍ଚିତ ଭରତପୁର ଥାନା ଘଟଣାକୁ ନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ଘଣ୍ଟା ପାଇଁ ହରତାଳ(ଚକ ବନ୍ଦ, ଅଖ ବନ୍ଦ) ଡାକରା ଦେଇଛି ବିଜୁ ଜନତା ଦଳ । ଶଙ୍ଖଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରାସଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଭରତପୁରଠାରେ ଘଟିଥିବା ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଓଡିଶାର ସମ୍ମାନ ତଳକୁ ଯାଇଛି । ଏହି ଘଟଣାକୁ ନେଇ ଓଡିଶା ତଥା ସାରା ଦେଶରେ ସିଭିଲ ସୋସାଇଟିଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିବାର ୧୦୦ ଦିନ ପୂରଣକୁ ନେଇ ବିଜେପି ଉତ୍ସବ ପାଳନରେ ମସଗୁଲ ଥିଲା ବେଳେ ଭରତପୁର ଥାନା ଲଜ୍ଜା ଘଟଣା ଲୋକଲୋଚନକୁ ଆସିଛି । ୧୦୦ ଦିନର ଯାତ୍ରାର ଆରମ୍ଭରେ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଆକ୍ରମଣର ଶୀକାର ହୋଇଥିଲେ ଏଏସ୍ଓ ଅଧିକାରୀ ଓ ୧୦୦ ଦିନର ପୂର୍ତ୍ତିର ଠିକ୍ ପୂର୍ବରୁ ଭରତପୁର ଥାନା ଲଜ୍ଜା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ବିଧାୟକ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣାକୁ ରାଜ୍ୟ ସରକାର ଚପାଇଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଆସୁଛନ୍ତି । ଏହି ଘଟଣା ୧୪ ତାରିଖ ରାତିରେ ଘଟିଥିଲେ ହେଁ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଚପାଇ ଦେଇଥିଲେ ।
କିନ୍ତୁ ପୀଡିତା ହାଇକୋର୍ଟରୁ ଜାମିନ ପାଇବା ପରେ ଏହି ଘଟଣାଟି ସେପ୍ଟେମ୍ବର ୧୮ ତାରିଖ ଦିନ ଲୋକଲୋଚନକୁ ଆସିଥିଲା । ପରେ ପୀଡିତା ଅଙ୍କିତା ପ୍ରଧାନ ଏମ୍ସରେ ଚିକିତ୍ସାଧୀନ ଥିବା ଅବସ୍ଥାରେ, ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ଘଟଣାକୁ କ୍ରନ୍ଦନରତ ଅବସ୍ଥାରେ ବର୍ଣ୍ଣନା କରିବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆକୁଳନ ନିବେଦନ କରିଥିଲେ । ଆଶ୍ଚର୍ଯ୍ୟର କଥା ଜଣେ ଉଚ୍ଚପଦସ୍ତ ପୋଲିସ ଅଧିକାରୀ ଘଟଣାକୁ ସଂପୂର୍ଣ୍ଣ ଅନୁଧ୍ୟାନ ନକରି ସେପ୍ଟେମ୍ବର ୧୭ ତାରିଖ ଦିନ ଏକ ଜାତୀୟ ଗଣମାଧ୍ୟମକୁ କେଉଁ ଆଧାରରେ ଦାୟିତ୍ୱହୀନ ଭାବେ ଭରତପୁର ପୋଲିସକୁ କ୍ଲିନଚିଟ୍ ଦେଇଥିଲେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ ।
-
ସେହିପରି ଥାନା ଭିତରର ଭିଡିଓ ରେକର୍ଡିଂ ଗଣମାଧ୍ୟମରେ ଘୁରିବୁଲିଲା କିପରି..?
-
ପବ୍ ଭିତରର ଭିଡିଓ ପୋଲିସ ଜବତ କଲା ପରେ ଏହା ଗଣମାଧ୍ୟମକୁ କିପରି ଆସିଲା..?
-
ଜଣେ ପୀଡିତା କ’ଣ ଖାଉଥିଲେ, କ’ଣ ପିନ୍ଧିଥିଲେ ଏହାର ପ୍ରଚାର କରି ପୀଡିତା ମହିଳାଙ୍କୁ କାହିଁକି ନିନ୍ଦିତ କରାଗଲା..?