ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ !

୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳି ଥାନା ସୋମପୁର ନିକଟ ଘୋଡେ଼ଇଶୁଣି ପାହାଡ଼ ନିକଟରୁ ଶୁକ୍ରବାର ଅପରାହ୍ନରେ ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନୂଆଁ ସାହି ବାସିନ୍ଦା ଭାଗିରଥି ସ୍ଵାଇଁଙ୍କ ପୁଅ ରାଜାରାମ ସ୍ଵାଇଁ (୨୦)। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତକଙ୍କ ସମ୍ପର୍କୀୟ ଭାଇ ଚାନ୍ଦ୍ରମାସ ସ୍ବାଇଁଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨୯/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଘଟଣାର ତଦନ୍ତ କରୁଛି। ପାରିପାର୍ଶ୍ୱିକ ଅବସ୍ଥିତି ସହ ଅନ୍ୟାନ୍ୟ ଦିଗକୁ ଅନୁସନ୍ଧାନ କରି ପ୍ରେମ ଜନିତ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୁଲିସ ଅନୁମାନ କରୁଛି।

ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ରାଜାରାମ ବ୍ରହ୍ମପୁରରେ ରହି ଅଧ୍ୟୟନ କରୁଥିଲେ। ଗତ ଦୁଇ ଦିନ ତଳେ ସେ ସାଙ୍ଗ ମାନଙ୍କ ସହିତ ବ୍ରହ୍ମପୁରରୁ ନିଜ ଘରକୁ ଫେରିଥିଲେ। କିଛି ସମୟ ରହି ପୁଣି ଘରୁ ବାହାରି ଯାଇଥିଲେ। ପରିବାର ଲୋକେ ରାଜାରାମ ସହ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା। ଗତ ଦୁଇ ଦିନ ଧରି ତାଙ୍କ ସନ୍ଧାନ ନ ମିଳିବା ପରେ ଘର ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା। କୌଣସି ସୂତ୍ରରୁ ଖବର ପାଇ ପରିବାର ଓ ବନ୍ଧୁମାନେ ଖୋଜା ଖୋଜି କଲା ବେଳେ ଘୋଡେ଼ଇ ଶୁଣି ପାହାଡ ନିକଟରେ ତାଙ୍କ ସାଇକେଲ ରହିଥିବା ଜଣା ପଡିଥିଲା। ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ଏକ ଗଛରେ ରଶି ଲଗାଇ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ୨ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି।

Exit mobile version