ଗୁରୁଗ୍ରାମଠାରେ ଦୁର୍ଗାପୂଜା ଉପଲକ୍ଷେ ମାଟି ଅନୁକୂଳ ପର୍ବ ସମ୍ପନ୍ନ

୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୁରୁଗ୍ରାମ :->  ଗୁରୁଗ୍ରାମସ୍ଥିତ କଳିଙ୍ଗ କଲଚରାଲ ଏଣ୍ଡ୍ ୱେଲଫେୟାର ଆସୋସିଏସନ (କେ.ସି.ଡବ୍ଲ୍ୟୁ.ଏ) ତରଫରୁ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚଦଶ ତମ ଦୁର୍ଗାପୂଜା ଉପଲକ୍ଷେ ପବିତ୍ର ମାଟି ଅନୁକୂଳ ପର୍ବ ମହାସମାରୋହରେ ସମାପନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ମୁଖ୍ୟକର୍ତ୍ତା ହରେକୃଷ୍ଣ ମହାନ୍ତିଙ୍କର ସତାବନ ନମ୍ବର ସେକ୍ଟର ସ୍ଥିତ ବାସଭବନରେ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟିର ଶୁଭ ଅନୁକୂଳ କରାଯାଇଥିଲା । ମୂର୍ତ୍ତିକାର ଏହି ଅନୁକୂଳ ହୋଇଥିବା ମାଟି ସହିତ ଆଉ ସାତ ପ୍ରକାର ମାଟିକୁ ମିଶାଇ ମା’ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ନିର୍ମାଣକୁ ପୂର୍ଣ୍ଣ ରୂପରେଖ ଦେବେ ବୋଲି ଆୟୋଜକମାନଙ୍କ ସୂତ୍ରରୁ ପ୍ରକାଶ।

ଏହି ଅବସରରେ ସଙ୍ଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କର ପୌରହିତ୍ୟରେ ଅନୁଷ୍ଠିତ ପଞ୍ଚମ ପ୍ରସ୍ତୁତି ବୈଠକରେ ବହୁ ବରିଷ୍ଠ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟମାନେ ଯୋଗଦେଇ ଚଳିତ ବର୍ଷର ପୂଜା ଆୟୋଜନର ଅଗ୍ରଗତି ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ଆଲୋଚନା କରିଥିଲେ। ଏଥରର ସାଜସଜ୍ଜାକୁ ଅଧିକ ଆକର୍ଷଣୀୟ ଓ ରଙ୍ଗାରଙ୍ଗ କରିବାକୁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ବିଭିନ୍ନ ରଙ୍ଗର ଆଲୋକ ମାଳା ସହିତ ପୂଜା ମଣ୍ଡପକୁ ନିଆରା ଢଙ୍ଗରେ ସଜାଯିବ ବୋଲି ସୋମାଲୀନ ଦାଶ ସୂଚନା ପ୍ରଦାନ କରିଥିଲେ । ଉତ୍ସବ ସମୟରେ ଶାନ୍ତି, ଶୃଙ୍ଖଳା ରକ୍ଷା ଏବଂ ଅସାମାଜିକ ତତ୍ତ୍ଵମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବା ପାଇଁ କେ.ସି. ଡବ୍ଲ୍ୟୁ.ଏ ତରଫରୁ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ସଭାପତି ଶ୍ରୀ ବେହେରା ପ୍ରକାଶ କରିଥିଲେ।

ଏହି ବୈଠକରେ ଉପଦେଷ୍ଟା ମୋନାଲିସା ମହାପାତ୍ର, ସାଧାରଣ ସମ୍ପାଦକ ଭୀମସେନ ରେଡ୍ଡୀ, ସଙ୍ଗଠନ ସମ୍ପାଦକ କୃଷ୍ଣ ସ୍ଵାଇଁ, ଉପ-ସଭାପତି ରଞ୍ଜନ ସାହୁ, ମିଡିଆ ପ୍ରଭାରୀ ପ୍ରଦ୍ୟୁମ୍ନ ରଥ, କୋଷାଧ୍ୟକ୍ଷ ବିନାୟକ ନାୟକ, ଯୁଗ୍ମ କୋଷାଧ୍ୟକ୍ଷ ଶେଷଦେବ ସାହୁ ତଥା ସଦସ୍ୟ ବୃନ୍ଦ ଯଥା ଶରତ କୁମାର ଦେହୁରୀ, ମୁରଲୀଧର ସାହୁ, ରାଜେନ୍ଦ୍ର ସାହୁ, ମାନସ ସାହୁ, ମଳୟ ରଞ୍ଜନ ଦାଶ, ଅର୍ଜୁନ ସ୍ଵାଇଁ, ବୀରେନ ସାମଲ ଓ ସଞ୍ଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ହରେକୃଷ୍ଣ ମହାନ୍ତି ଉପସ୍ଥିତ ସମସ୍ତଙ୍କର ସହଯୋଗ ପାଇଁ ସାଧୁବାଦ ଜଣାଇବା ସାଙ୍ଗକୁ ଏହି ମହାନ ପାର୍ବଣ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Exit mobile version