୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦେଶର ବିଭିନ୍ନ ରାଜ୍ୟରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ସଫଳ ଓ ସଶକ୍ତ ରୂପାୟନ ନେଇ ଏକ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଆଜି ଭୁବନେଶ୍ୱରରେ ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରୀ ବିଭାଗ ଓ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରଙ୍କ ସମେତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ମେଘାଳୟ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରୀ ବିଭାଗ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବାବେଳେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ସମବେତ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ ।

