୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ ବଳାଇଛନ୍ତି ୩୮ କୁଟିଆ ଆଦିବାସୀ ପରିବାର । କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ କୋଟଗଡ଼ ପଞ୍ଚାୟତର ବାନ୍ଦକା ଗ୍ରାମର ୩୮ କୁଟିଆ ଆଦିବାସୀ ପରିବାରଙ୍କ କଥା ପ୍ରଶାସନ ଦୀର୍ଘ ଦିନ ହେଲା ବୁଝୁନାହିଁ । ସେମାନେ ପ୍ରଶାସନ ବିରୋଧରେ ନାନା ଅଭିଯୋଗ କରୁଛନ୍ତି। ବାନ୍ଦକା ଗ୍ରାମରେ ୩୮ ଆଦିବାସୀ ପରିବାର ୪୦ ବର୍ଷ ଧରି ରହୁଥିଲେ। ପାହାଡ଼ ଉପରେ ଗାଁ ।
ଚାରିଆଡ଼େ ଘଞ୍ଚ ଜଙ୍ଗଲ I ରାସ୍ତା, ପିଇବା ପାଣି, ବିଦ୍ୟୁତ କିମ୍ବା ଶିକ୍ଷା ସୁବିଧା ନଥିଲା । ବହୁ ଅସୁବିଧାରେ ସେମାନେ ଜୀବନ ଯାପନ କରୁଥିଲେ। ସେମାନଙ୍କ ଦୁର୍ଦ୍ଦଶା ଖବର ପ୍ରକାଶନ ପରେ ପ୍ରଶାସନ ଗାଁରେ ପହଞ୍ଚିଥିଲା । ୧୨ବର୍ଷ ତଳେ ବାନ୍ଦକାର ସମସ୍ତ ପରିବାରକୁ ପାହାଡ଼ ତଳ ଜାମଝୋର ଗ୍ରାମରେ ଥଇଥାନ କରାଗଲା । ସେହି ସମୟରେ ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରଶାସନର ଭରସାରେ ୩୮ ଆଦିବାସୀ ପରିବାର ୧୨ ବର୍ଷ ଧରି ଜାମଝୋରରେ ଆସି ରହିଛନ୍ତି ; କିନ୍ତୁ ପୂର୍ବରୁ ନିଜ ଭିଟାମାଟି ବାନ୍ଦକାରେ ଯେଉଁ ଅସୁବିଧା ଥିଲା ଜାମଝୋରରେ ମଧ୍ୟ ସେମାନେ ସେହି ସମାନ ଅବସ୍ଥା ଭୋଗୁଛନ୍ତି। ବ୍ଲକ ପ୍ରଶାସନ ସେମାନଙ୍କୁ ପ୍ରତାରଣା କରିଥିବା ସଂପୃକ୍ତ ପରିବାର ଅଭିଯୋଗ କରିଛନ୍ତି । 
