୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। ଏହି ଦିନ ଗୃହମାନଙ୍କରେ ମା’ଙ୍କୁ ପୂଜା ଆରଧନା କଲେ ଘରର ସମସ୍ତଙ୍କୁ ମା’ ସମସ୍ଥ ବିପଦ ଆପଦ , ରୋଗ ବୈରାଗରୁ ରକ୍ଷା କରିବା ସହିତ ଅଶେଷ ଆୟୁଷ ଓ ଉତ୍ତମଭାଗ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ଅଛି । ଏଣୁ ପ୍ରତିଟି ଓଡ଼ିଆ ଘରମାନଙ୍କରେ ସ୍ୱତନ୍ତ୍ର ଷଠିଘର ସ୍ଥାପନ କରି ଜନ୍ମ ସମୟରୁ ଏହିଦିନ ମା’ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ଆରାଧନା କରାଯାଏ ।
ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ ଏହି ପର୍ବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମା’ଙ୍କୁ ସ୍ୱୟଂ ଷଷ୍ଠି ଦେବୀ ଭାବରେ ମଧ୍ୟ ବିଶ୍ୱାସ କରାଯାଇ ଏହି ପର୍ବ ପାଳନ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି । ଏହି ଦିନ ପ୍ରତ୍ୟୁଷରୁ ମା’ଙ୍କ କେବଳ ଅଙ୍ଗରାଗ ମାଜଣା ପରେ ବେଶ ହୋଇ ସକାଳର କୌଣସି ନୀତିକାନ୍ତି ହୋଇ ନ ଥିଲା । ମଧ୍ୟାହ୍ନରେ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ ନାନାଦି ରଙ୍ଗବେରଙ୍ଗର ପାଟ ପତନି ସହିତ ବେଲପତ୍ର ମନ୍ଦାରମାଳ ପରିଧାନ କରି ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ , ବାଦ୍ୟରେ ପିତ୍ରାଳୟଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ବାହାରି ବଡ଼ ଦାଣ୍ଡରେ ଯାତ୍ରା କରି ନିଜ ମନ୍ଦିରକୁ ବିଜେ କରିଥିଲେ।
