୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁଭଦ୍ରା ଯୋଜନା ଏକ ଜନକଲ୍ୟାଣକାରୀ ଯୋଜନା । ଏହି ଯୋଜନାରୁ ମହିଳାମାନେ ସୁବିଧା ନେବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ସେଥିପାଇଁ ବିଭିନ୍ନ କମନ ସର୍ଭିସ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ପ୍ରତିଦିନ ନାମ ପଞ୍ଜୀକରଣ ପାଇଁ ଭିଡ଼ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଫର୍ମ ଆବେଦନ ପ୍ରକ୍ରିୟାକୁ କିପରି ଆହୁରି ସରଳ ଓ ସହଜ କରାଯାଇପାରିବ, ସେଥିପାଇଁ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ) ଠାରେ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରିଥିଲେ ।
ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭିଗର ପ୍ରମୁଖ ଶାସନ ସଚିବ ତଥା ଓକାକର ଅଧ୍ୟକ୍ଷ ଶ୍ରୀ ବିଶାଳ କୁମାର ଦେବ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ସମେତ କମନ ସର୍ଭିସ୍ ସେଣ୍ଚରର ମୁଖ୍ୟ ବୈଷୟିକ ଅଧିକାରୀ ଏବଂ ମୋ ସେବା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ ଏବଂ ଅନ୍ୟ ବୈଷୟିକ ବିଶେଷଜ୍ଞ ସହିତ ଆଲୋଚନା କରାଯାଇଥିଲା । ଷ୍ଟେଟ୍ ଡାଟା ସେଣ୍ଚର,ଓକାକ୍ ରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ସ୍ଥାପିତ ଡାଟା ସେଣ୍ଟର ରହିଛି ।
