0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଇବା ନିମନ୍ତେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଶ୍ରୀ ପ୍ରକାଶ ଆର., ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ପ୍ରମୁଖ ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହତାବ କହିଥିଲେ ଯେ ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କର ଅଧିକାର ବିଷୟ ରେ ସଚେତନତା ସୃଷ୍ଟି କରିବା, ସ୍ବାସ୍ଥ୍ୟ ଏବଂ ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା, ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ଡିଜିଟାଲ ଆର୍ଥିକ ସାକ୍ଷରତାକୁ ଉତ୍ସାହିତ କରିବା ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ସେମାନଙ୍କୁ ସଶକ୍ତ କରିବା । ବିଧାୟକ ଶ୍ରୀ ସେଠୀ ସୁଭଦ୍ରା ଯୋଜନାକୁ ଯୁଗାନ୍ତକାରୀ ଯୋଜନା ଭାବେ ଅଭିହିତ କରିବା ସହିତ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ।
